ନୂଆଦିଲ୍ଲୀ,୨୫/୦୯: ହକି ଇଣ୍ଡିଆ  ଲିଗ (ଏଚ୍‌ଆଇଏଲ)ର ଆଗାମୀ ସଂସ୍କରଣ ପାଇଁ  ନୂଆଦିଲ୍ଲୀରେ ମିନି ନିଲାମୀ ସରିଛି। ଉଭୟ ପୁରୁଷ ଓ  ମହିଳା ବର୍ଗରେ ଖେଳାଳି ବିକ୍ରି ହୋଇଥିଲେ । ଓଡ଼ିଆ ଗୋଲକିପର ବିବେକ ଲାକ୍ରା ୨୩  ଲକ୍ଷ ଏବଂ ମିଡଫିଲ୍ଡର ଆଦ୍ରୋହିତ ଏକ୍କା ୧୧  ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ । ଏହି ଦୁଇ ଜୁନିୟର ଖେଳାଳି ଭାରତୀୟ ଜୁନିୟର ସୁଲତାନ ଜୋହର କପ୍‌ ଦଳରେ ସ୍ଥାନ ପାଇଛନ୍ତି । ପୁରୁଷ ବର୍ଗରେ ଲାଏନ ହେଣ୍ଡରସନ୍‌ ଏବଂ  ମହିଳାରେ ଅଗଷ୍ଟିନା ଗୋର୍ଜେଲାନି ଏଥର  ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ସେମାନେ ୪୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି ।

ମହିଳାରେ ଅଗଷ୍ଟିନାଙ୍କୁ ୪୨ ଲକ୍ଷରେ  ବେଙ୍ଗଲ ଟାଇଗର୍ସ, ଗ୍ରାନାଟୋ ମାରିଆ ଜୋସଙ୍କୁ ସୁରମା ହକି କ୍ଲବ୍‌ ୩୪ ଲକ୍ଷରେ ଏବଂ  ଭାଲେଣ୍ଟିନା ରାପୋସୋ ରୁଇଜଙ୍କୁ ବେଙ୍ଗଲ ଟାଇଗର୍ସ ୩୦ ଲକ୍ଷ ଟଙ୍କାରେ କ୍ରୟ କରିଛନ୍ତି ।  ପୁରୁଷରେ ହେଣ୍ଡରସନଙ୍କୁ ୪୨ ଲକ୍ଷରେ ବେଦାନ୍ତ କଳିଙ୍ଗ ଲାନସର୍ସ, ସାନ୍ଦର ଡି ୱିଜନଙ୍କୁ  ତାମିଲନାଡୁ ୩୬ ଲକ୍ଷରେ ଏବଂ ଥିଏସ ପ୍ରିଞ୍ଜ  ଏସ୍‌ଆଇଏଲ୍‌ ଗଭର୍ଣ୍ଣିଂ କାଉନସିଲ କ୍ରୟ କରିଛି ।

୨୦୨୪-୨୫ ସଂସ୍କରଣରେ ପୁରୁଷ  ବର୍ଗରେ ୮ଟି ଦଳ ସାମିଲ ହୋଇଥିଲେ । ଦଳ  ଗୁଡ଼ିକ ହେଲେ ବେଙ୍ଗଲ ଟାଇଗର୍ସ, ସୁରମା  ହକି, ହାଇଦ୍ରାବାଦ ତୋଫାନ, ତାମିଲନାଡୁ  ଡ୍ରାଗନ୍ସ, ୟୁପି ରୁଦ୍ରାସ, କଳିଙ୍ଗ ଲାନସର୍ସ,  ଟିମ ଗୋନାଶିକା ଓ ଏସ୍‌ଜି ପାଇପର୍ସ ।  ମାତ୍ର ୟୁପି ରୁଦ୍ରାସ ଓ ଟିମ୍‌ ଗୋନାଶିକା  ଏଥର ଓହରି ଯାଇଥିଲେ । ସେମାନଙ୍କ  ସ୍ଥାନରେ ରାଞ୍ଚି ରୟାଲ୍ସ ଓ ଏଚ୍‌ଆଇଏଲ୍‌  ଗଭର୍ଣ୍ଣିଂ କାଉନସିଲ ଦଳ ସ୍ଥାନ ପାଇଛନ୍ତି ।

ଅଷ୍ଟ୍ରେଲିଆର କୁପର ବର୍ଣ୍ଣସଙ୍କୁ କଲିଙ୍ଗ  ଲାନସର୍ସ ୩୪.୫୦ ଲକ୍ଷରେ ଓ ରୁପିନ୍ଦର ପାଲ  ସିଂଙ୍କୁ ଏସ୍‌ଜି ପାଇପର୍ସ ୧୨ ଲକ୍ଷରେ କ୍ରୟ  କରିଛି । ହାଇଦ୍ରାବାଦ ତା’ର ପୂର୍ବ ଦଳ ବଜାୟ  ରଖିଛି । ତେଣୁ ଏଥର ଜଣେ ହେଲେ ବି ଖେଳାଳି  କ୍ରୟ କରି ନାହିଁ । ୧୪ ବର୍ଷୀୟ କେତନ ଖୁସୱାଙ୍କୁ  ୨.୫ ଲକ୍ଷରେ ବେଙ୍ଗଲ ଟାଇଗର୍ସ କିଣିଛି ।  

କଳିଙ୍ଗ ଲାନସର୍ସ ୭ ଜଣ ନୂଆ ଖେଳାଳିଙ୍କୁ  କିଣିଛି । ସେମାନେ ହେଲେ ଲିଆମ ହେଣ୍ଡରସନ  (୪୨ ଲକ୍ଷ), ଅମିତ ଟପ୍ପୋ (୨ ଲକ୍ଷ),  ସୁନୀଲ (୨ ଲକ୍ଷ), ବବି ସିଂ ଧାନି (୧୦  ଲକ୍ଷ), କୁପର ବର୍ଣ୍ଣସ (୩୪.୫୦ ଲକ୍ଷ)  ଏବଂ କ୍ରାଗ୍‌ ମାରାଇସ (୧୦ ଲକ୍ଷ) ।

ମହିଳାରେ ମିଡ୍‌ଫିଲ୍ଡର ମୋନିକା  ଗତ ସଂସ୍କରଣରେ ବିକ୍ରି ହୋଇ ନଥିଲେ ।  ଏଥର ତାଙ୍କୁ ୧୫ ଲକ୍ଷ ଟଙ୍କାରେ ଏସ୍‌ଜି  ପାଇପର୍ସ କିଣିଛି । ଉଦିତା ଗତ ଥର ସବୁଠୁ  ମହଙ୍ଗା ଖେଳାଳି ଥିଲେ । କିନ୍ତୁ ଏଥର  ପାଇପର୍ସ ତାଙ୍କୁ ୧୦ ଲକ୍ଷରେ କିଣିଛି ।