ଭୁବନେଶ୍ୱର/ରାଉରକେଲା,୧୧/୦୧: ବେଙ୍ଗଲ ଟାଇଗର୍ସକୁ ପରାଜିତ କରି ତାମିଲନାଡୁ ଡ୍ରାଗନ୍ସ  ଏଚ୍‌ଆଇଏଲ୍‌ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଡ୍ରାଗନ୍ସ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୨-୧ ଗୋଲରେ  ବିଜୟୀ ହୋଇଥିଲା ।  

ପ୍ରଥମ କ୍ୱାର୍ଟର ଖେଳ  ଗୋଲଶୂନ୍ୟ ରହିଥିଲା ।  ଦ୍ୱିତୀୟ କ୍ୱାର୍ଟରର  ଆରମ୍ଭରୁ ଡ୍ରାଗନ୍ସ ଗୋଲ  ଖାତା ଖୋଲିଥିଲା ।  ୧୬ ମିନିଟରେ ଏହି ଗୋଲ୍‌ ଦେଇଥିଲେ ସେଲଭମ  କାର୍ଥି । ୩୫ ମିନିଟରେ (ରୁପିନ୍ଦର  ପାଲ ସିଂ) ଏହି ଗୋଲ୍‌ ପରିଶୋଧ  କରିଥିଲା ବେଙ୍ଗଲ ଟାଇଗର୍ସ ।ଏହାର ୨ ମିନିଟରେ  ମଧ୍ୟରେ ଡ୍ରାଗନ୍ସ  ଦ୍ୱିତୀୟ ଗୋଲ୍‌ ଦେଇ ପୁଣି  ୨-୧ରେ ଅଗ୍ରଣୀ  ଲାଭ କରିଥିଲା । ଉତ୍ତମ ସିଂ ୩୭  ମିନିଟରେ ଏହି ଗୋଲ୍‌ ଦେଇଥିଲେ । ପରବର୍ତ୍ତୀ ସମୟ ଖେଳ ସଂଘର୍ଷପୂର୍ଣ୍ଣ  ରହିଥିଲା । ବହୁ ପ୍ରୟାସ ସତ୍ତେ୍ୱ ଟାଇଗର୍ସ  ମ୍ୟାଚ୍‌କୁ ଫେରିବାର ସୁଯୋଗ ନପାଇ  ଶେଷରେ ଗୋଟିଏ ଗୋଲ ପଛରେ ରହି  ପରାଜିତ ହୋଇଥିଲା ।  

ସର୍ବାଧିକ ୧୨ ପଏଣ୍ଟ ସହ ଡ୍ରାଗନ୍ସ  ଟେବୁଲରେ ପ୍ରଥମ ସ୍ଥାନରେ ରହିଛି ।  ସେହିପରି ୯ ପଏଣ୍ଟ ସହ ଟାଇଗର୍ସ  ଦ୍ୱିତୀୟ, ୭ ପଏଣ୍ଟ ସହ କଳିଙ୍ଗ ଲାନସର୍ସ  ତୃତୀୟ ଏବଂ ସୁରମା ହକି କ୍ଲବ ସମାନ  ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।