ନୂଆଦିଲ୍ଲୀ ୦୧/୦୩: ପ୍ରଖ୍ୟାତ ହଲିଉଡ୍‌ ଗାୟିକା କେଟି ପେରୀ ଚଳିତବର୍ଷ ମହାକାଶଯାତ୍ରା କରିବେ । ଆମେରିକୀୟ ଅରବପତି ଜେଫ୍‌ ବେଜୋସ୍‌ଙ୍କ କଂପାନି ବ୍ଲୁ ଅରିଜିନ୍‌ର ନ୍ୟୁ ଶେପର୍ଡ ରକେଟ୍‌ ମାଧ୍ୟମରେ ସେ ମହାକାଶକୁ ଯିବେ ବୋଲି ସୂଚନା ମିଳିଛି । ଏହି ମିଶନ୍‌ଟି ସ୍ୱତନ୍ତ୍ର ହେବ କାରଣ ଏଥିରେ କେବଳ ମହିଳାମାନେ ସାମିଲ ରହିବେ । ମିଶନ୍‌ର ନାମ ରହିଛି ଏନଏସ୍‌-୩୧ । 

କେଟି ପେରୀ ୟୁନିସେଫ୍‌ର ସଦ୍‌ଭାବନା ରାଷ୍ଟ୍ରଦୂତ ହୋଇଥିବାବେଳେ ଏହି ଯାତ୍ରା ଏକ ଅବିସ୍ମରଣୀୟ ତଥା ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଥିବା ନେଇ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ଯାତ୍ରା ତାଙ୍କ ଝିଅ ଓ ଅନ୍ୟମାନଙ୍କୁ ପ୍ରେରିତ କରିବାର ଏକ ସୁଯୋଗ । ଏହି ସ୍ୱତନ୍ତ୍ର ମିଶନ୍‌ ମଧ୍ୟ ମହାକାଶ କ୍ଷେତ୍ରରେ ମହିଳାମାନଙ୍କର ଭାଗିଦାରୀକୁ ପ୍ରୋତ୍ସାହିତ କରିବ । ମିଶନ୍‌ରେ କେଟିଙ୍କ ସହିତ ଆମେରିକାର ପ୍ରସିଦ୍ଧ ମହିଳାମାନେ ସାମିଲ ରହିବେ । ସେମାନଙ୍କ ମଧ୍ୟରେ ଜେଫ୍‌ଙ୍କ ଗାର୍ଲଫ୍ରେଣ୍ଡ ଓ ପୂର୍ବତନ ସାମ୍ବାଦିକା ଲରେନ ସାଞ୍ଚେଜ୍‌, ନାସାର ପୂର୍ବତନ ରକେଟ୍‌ ସାଇଣ୍ଟିଷ୍ଟ ଆଇଶା ବୋୱେ, ସାମାଜିକ ଅଧିକାର କର୍ମୀ ଆମାଣ୍ଡା ଗୁୟେନ୍‌, ସିବିଏସ୍‌ ଉପସ୍ଥାପିକା ଗେଲ୍‌ କିଙ୍ଗ, ଫିଲ୍ମ ପ୍ରଯୋଜିକା କେରିଆନ୍‌ ଫ୍ଲିନ୍‌ ସାମିଲ । ମିଶନ୍‌ର ନେତୃତ୍ୱ ନେବେ ଲରେନ୍‌ ସାଞ୍ଚେଜ୍‌ । ସାଞ୍ଚେଜ୍‌ ହିଁ ଏହି ପ୍ରତିଷ୍ଠିତ ଟିମ୍‌କୁ ଏକାଠି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏ ସଂପର୍କିତ ଯୋଜନା ନେଇ ସାଞ୍ଚେଜ୍‌ ୨୦୨୩ ମସିହାରେ ପ୍ରଥମେ ଘୋଷଣା କରିଥିଲେ । 

ଯଦିଓ ବ୍ଲୁ ଅରିଜିନ୍‌ ପକ୍ଷରୁ ଯାତ୍ରା ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ ତେବେ ଚଳିତବର୍ଷ ମାର୍ଚ୍ଚ- ଜୁନ୍‌ ମାସରେ ମିଶନ୍‌କୁ ଲଞ୍ଚ କରାଯାଇପାରେ । ମହାକାଶଯାତ୍ରା ଲାଗି ମହିଳା ଓ ନୂଆ ପିଢ଼ିକୁ ପ୍ରେରିତ କରିବା ଏହାର ଉଦ୍ଦେଶ୍ୟ । ବ୍ଲୁ ଅରିଜିନ୍‌ ଅନୁସାରେ, ନ୍ୟୁ ଶେପର୍ଡରେ ଏକ ଯାତ୍ରା ସାଧାରଣତଃ ପ୍ରାୟ ୧୧ ମିନିଟ୍‌ ଅବଧିର ହୋଇଥାଏ । ଏହା ସଂପୂର୍ଣ୍ଣ ସ୍ୱୟଂଚାଳିତ । ଅର୍ଥାତ୍‌ ଏଥିରେ କେହି ପାଇଲଟ୍‌ ନଥାନ୍ତି । ରକେଟ୍‌ଟି ଯାତ୍ରୀମାନଙ୍କୁ ମହାକାଶ ସୀମା ଯାଏ ନେଇ ଯାଇଥାଏ । ସେଠାରେ ସେମାନେ କିଛି ମିନିଟ୍‌ ଧରି ଓଜନଶୂନ୍ୟତା ଅନୁଭବ କରିବା ସହିତ ପୃଥିବୀର ସୁନ୍ଦର ଦୃଶ୍ୟକୁ ଦେଖିଥାନ୍ତି । ଏହା ବ୍ଲୁ ଅରିଜିନ୍‌ର ୧୧ତମ ମାନବ ମିଶନ୍‌ ହେବ । ଅଦ୍ୟାବଧି ମୋଟ ୫୨ଜଣଙ୍କୁ ମହାକାଶକୁ ନେଇଛି ବ୍ଲୁ ଅରିଜିନ୍‌ । ୨୦୨୧ ମସିହାରେ ମିସନ୍‌ ଲଞ୍ଚ ହେବା ସମୟରେ ନିଜେ ଜେଫ୍‌ ବେଜୋସ୍‌ ମହାକାଶକୁ ଯାଇଥିଲେ । ସେହିପରି ଗୁଡ୍‌ ମର୍ଣ୍ଣିଂ ଆମେରିକା କାର୍ଯ୍ୟକ୍ରମର ସହ ଉପସ୍ଥାପକ ମାଇକେଲ୍‌ ଷ୍ଟ୍ରାହାନ୍‌ ଓ ଷ୍ଟାର ଟେକ୍‌ ଅଭିନେତା ୱିଲିୟମ୍‌ ଶାଟନରଙ୍କ ଭଳି ସେଲିବ୍ରିଟି ବ୍ଲୁ ଅରିଜିନ୍‌ ମାଧ୍ୟମରେ ମହାକାଶ ଯାତ୍ରା କରିସାରିଛନ୍ତି ।