କେନ୍ଦ୍ରାପଡ଼ା,୧୧/୦୭: କେନ୍ଦ୍ରାପଡ଼ା ଜିଲ୍ଲାରେ ହୋମ୍ଗାର୍ଡ ନିଯୁକ୍ତିରେ ସାଂଘାତିକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି କେତେଜଣ ହୋମ୍ଗାର୍ଡ ଆଶାୟୀ ପ୍ରାର୍ଥୀ । ଏମିତିକି ନିଯୁକ୍ତିରେ ସଂରକ୍ଷଣ ନିୟମ ମଧ୍ୟ ପାଳନ କରାଯାଇ ନାହିଁ । ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଭାବେ ନିଯୁକ୍ତି ଦିଆଯାଇଥିବା ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨୧ ହୋମ୍ଗାର୍ଡ ପଦବିରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରାୟ ୭ ହଜାର ପ୍ରାର୍ଥୀ ଆବେଦନ କରିଥିଲେ । ଆବେଦନ ପରେ ପ୍ରାର୍ଥୀମାନଙ୍କର ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା ହେଲା । ପ୍ରତି ଥାନା ସ୍ତରରେ ଲିଖିତ ପରୀକ୍ଷା ସହ ପରବର୍ତ୍ତୀ ସମୟରେ ଶାରୀରିକ ପରୀକ୍ଷା, ମୌଖିକ ପରୀକ୍ଷା, ଟ୍ରେଡ୍ ପରୀକ୍ଷା ବି ହୋଇଥିଲା । ପଦବି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ୍ ରହିଥିବା ବେଳେ ବହୁ ଉଚ୍ଚଶିକ୍ଷିତ ଆବେଦନ କରିଥିଲେ । ଗତକାଲି ପରୀକ୍ଷାଫଳ ବାହାରିଲା । ହେଲେ ଫଳକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବହୁ ଆଶାୟୀ । ନିଯୁକ୍ତି ପଛରେ ଅର୍ଥ କାରବାର ହୋଇଥିବା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଜଣ ପିଛା ୪ରୁ ୫ଲକ୍ଷ ଟଙ୍କା ନେଇ ନିଯୁକ୍ତି ଦିଆଯାଇଛି । ସେମାନଙ୍କୁ ମଧ୍ୟ ଟଙ୍କା ମଗାଯାଇଥିଲା । ଯେଉଁମାନେ ଟଙ୍କା ନଦେଲେ ସେମାନଙ୍କୁ ନିଯୁକ୍ତି ମିଳିଲା ନାହିଁ । ଯେଉଁମାନେ ପରୀକ୍ଷା କରୁଛନ୍ତି। ସେମାନେ ଉତ୍କୋଚ ଦାବି କରିଛନ୍ତି ବୋଲି ଆଶାୟୀମାନେ ଅଭିଯୋଗ କରିଛନ୍ତି ।
ଏବେ ଯେଉଁ ଫଳ ପ୍ରକାଶ ପାଇଛି, ତାହା ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାର ତଦନ୍ତ ହେଉ ଓ ଫଳ ବାତିଲ କରାଯାଉ । ଉତ୍କୋଚ କାରବାରରେ ସମ୍ପୃକ୍ତ ପୁଲିସ କର୍ମଚାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କେଉଁ ପ୍ରାର୍ଥୀ କେଉଁ କାରଣରୁ ବାଦ୍ ପଡ଼ିଲେ ଓ କେଉଁମାନେ କେଉଁ ଯୋଗ୍ୟତା ଆଧାରରେ ଚୟନ ହେଲେ ତା’ର ତାଲିକା ସର୍ବସାଧାରଣଙ୍କ ଜାଣିବା ନିମନ୍ତେ ପ୍ରକାଶ କରାଯାଉ ବୋଲି ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗର ନକଲ ପୁଲିସ ଡିଜି, ରାଜ୍ୟ ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଏସ୍ପିଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ପରୀକ୍ଷା କରାଯାଇଛି । କେହି ଟଙ୍କା ମାଗୁଥିବାର ପ୍ରମାଣ ଥିଲେ ଦାଖଲ କରନ୍ତୁ । ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ।