ନୂଆଦିଲ୍ଲୀ: ମେଘାଳୟରେ ପରିଚାଳିତ ଏକ ଉଗ୍ରବାଦୀ ସଂଗଠନ ହାଇନ୍ବେଟ୍ରେପ୍‌ ନ୍ୟାସନାଲ୍‌ ଲିବରେସନ୍‌ କାଉନସିଲ୍‌ (ଏଚଏନଏଲସି) ଉପରେ ୫ ବର୍ଷ ଯାଏଁ ବ୍ୟାନ୍‌ ଲଗାଇଲା କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏଚଏନଏଲସି ସମେତ ଏହା ସହ ଜଡ଼ିତ ସବୁ ଶାଖା ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି । ତତ୍କାଳ ପ୍ରଭାବରେ ନଭେମ୍ବର ୧୬ରୁ ଏଚଏନଏଲସି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । 

ଭାରତର ସାର୍ବଭୌମତ୍ବକୁ ପ୍ରଭାବିତ କରି ଏହି ସଂଗଠନ ଦାଦାବଟି ଆଦାୟ କରୁଥିବା ବେଳେ ଅନ୍ୟ ଉଗ୍ରବାଦୀ ସଂଗଠନ ସହ ସଂପର୍କ ରଖିଛି ବୋଲି ନଭେମ୍ବର ୧୩ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏଚଏନଏଲସି ବିରୋଧରେ ୪୮ଟି ଅପରାଧିକ ମାମଲା ରୁଜୁ ହେବା ପରେ ଏହି ଉଗ୍ରବାଦୀ ସଂଗଠନ ଉପରେ ୫ ବର୍ଷ ଯାଏଁ ପ୍ରତିବନ୍ଧକ ଲଗାଯାଇଛି । ନିକଟ ଅତୀତରେ ଏଚଏନଏଲସି ପକ୍ଷରୁ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । 




ଏହା ପୂର୍ବରୁ ମେଘାଳୟ ସରକାରଙ୍କ ପକ୍ଷରୁ ଏଚଏନଏଲସି ସଂଗଠନ ଉପରେ ବ୍ୟାନ ଲଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହୋଇଥିଲା । ଏହା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ (ନିରୋଧୀ) ଆଇନ୍‌ ୧୯୬୭ ଅଧୀନରେ ଏଚଏନଏଲସି ଉପରେ ପ୍ରତିବନ୍ଧକ ଲଗାଇଛି ।