ନୂଆଦିଲ୍ଲୀ,୦୪/୦୫: ରାଜ୍ୟରେ  ବିପର୍ଯ୍ୟସ୍ତ ଅବସ୍ଥାରେ ହୋମିଓପାଥିକ  ପିଜି ପାଠ୍ୟକ୍ରମ । ଦୀର୍ଘ ବର୍ଷ ଧରି  ପିଜି ସିଟ୍‌ ବଢ଼ୁନଥିବା ଓ ଅଧ୍ୟାପକ  ନିଯୁକ୍ତି ହେଉନଥିବାରୁ ଛାତ୍ରଛାତ୍ରୀ ପିଜି  ପଢିପାରୁନାହାନ୍ତି । ପିଜି ପାସ୍‌ କରିଥିବା  ଛାତ୍ରଛାତ୍ରୀ ବେକାର ହୋଇବସିଛନ୍ତି ।  ଅନ୍ୟପକ୍ଷରେ ପିଜି ପଢ଼ାଇବା ପାଇଁ  କାମଚଳା ଭାବେ ଅବସରପ୍ରାପ୍ତ  ଅଧ୍ୟାପକଙ୍କୁ ଠିକାରେ ନିଯୁକ୍ତି ଦିଆଯାଉଛି ।  ରାଜ୍ୟରେ ଆୟୁର୍ବେଦିକ  ମହାବିଦ୍ୟାଳୟରେ ୩୩ଟି ପିଜି ସିଟ୍‌  ରହିଛି । ହେଲେ ହୋମିଓପାଥିକ ସ୍ନାତକ  ଶିକ୍ଷା ଓ ସ୍ନାତକୋତ୍ତର ଶିକ୍ଷା ବ୍ୟବସ୍ଥାରେ  ଅବନତି ଦେଖାଦେଇଛି । କାରଣ  ଭୁବନେଶ୍ୱରରେ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ  ଭେଷଜ ମହାବିଦ୍ୟାଳୟରେ ମାତ୍ର ୪ଟି  ପିଜି ସିଟ୍‌ ଅଛି । 

ବ୍ରହ୍ମପୁର, ସମ୍ବଲପୁର ଓ  ରାଉରକେଲା ହୋମିଓପାଥିକ କଲେଜରେ  ପିଜି ସିଟ୍‌ ନାହିଁ । ଅଭିନ୍ନଚନ୍ଦ୍ରରେ ପୂର୍ବରୁ  ୫ଟି ବିଭାଗରେ ୧୪ଟି ସିଟ୍‌ରେ ପିଜି  ଥିଲା । ଏହା ୨୦୧୩ ମସିହା ପର୍ଯ୍ୟନ୍ତ ଚାଲୁ  ରହିଥିଲା । କାଳକ୍ରମେ ଏହା ବନ୍ଦ ହୋଇ  ଏବେ ଗୋଟିଏ ବିଭାଗ ମେଟେରିଆ  ମେଡିକାରେ ମାତ୍ର ୪ଟି ସିଟ୍‌ ରହିଛି ।  ଅଭିନ୍ନ ଚନ୍ଦ୍ର କଲେଜକୁ ରାଜ୍ୟ ସରକାର  ‘ସେଣ୍ଟର୍‌ ଫର୍‌ ଏକ୍ସଲେନ୍ସ’ ଘୋଷଣା  କରିଥିଲେ । ହେଲେ ଏବର କଲେଜ୍‌  ଅବସ୍ଥାକୁ ଦେଖିଲେ ରାଜ୍ୟ ସରକାର  ହୋମିଓପାଥିକ ଶିକ୍ଷାକୁ କେତେ ଗୁରୁତ୍ୱ  ଦେଉଛନ୍ତି ତାହା ସ୍ପଷ୍ଟ ବାରି ହୋଇପଡୁଛି ।  

ଏବେ ୪ଟି ହୋମିଓପାଥିକ  କଲେଜରେ ୩୦ଟି ପ୍ରଫେସର ପଦବି  ରହିଛି । ପ୍ରତି କଲେଜରୁ ୪ଜଣ ଲେଖାଏଁ  ଅଧ୍ୟାପକ ଅବସର ନେବା ପରେ ଅସ୍ଥାୟୀ  ଭାବେ ଶିକ୍ଷାଦାନ କରୁଛନ୍ତି । ବାକି ୧୪ଟି  ପଦବି ଫାଙ୍କା ପଡିଛି । ହେଲେ ପିଜି  ପାସ କରିଥିବା ପ୍ରାୟ ୪୦ ଜଣ ବେକାର  ହୋଇବସିଛନ୍ତି । ଏହାଛଡ଼ା ଓଡ଼ିଶା  ବାହାରୁ ପିଜି ପାସ କରିଥିବା ୧୧୦ ପିଜି  ପାସ୍‌ କରିଥିବା ଛାତ୍ରଛାତ୍ରୀ ମଧ୍ୟ ନିଯୁକ୍ତି  ଅପେକ୍ଷାରେ ଥିବା ନିଖିଳ ଓଡ଼ିଶା ଆୟୁଷ  ଛାତ୍ର ସଂଗଠନ ଅଭିଯୋଗ କରିଛି ।  ତେଣୁ ହୋମିଓପାଥିକ ଶିକ୍ଷାର ମାନ ବୃଦ୍ଧି  ପାଇଁ ପିଜି ସିଟ୍‌ ବଢ଼ାଇବା ଏବଂ ଅଧ୍ୟାପକ  ନିଯୁକ୍ତି ଦେବାକୁ ସଂଗଠନ ଦାବି କରିଛି ।