ନୂଆଦିଲ୍ଲୀ,୨୭/୧୧: ହଂକଂରେ ଭୟାବହ ଅଗ୍ନିକାଣ୍ଡ । ବଡ଼ ବଡ଼ ଅଟ୍ଟାଳିକାରେ ଲାଗିଲା ନିଆଁ। ଏବେ ସୁଦ୍ଧା ୪୪ଜଣ ପ୍ରାଣ ହରାଇଥିବା ସୂଚନା । ତେବେ ବୁଧବାର ଏଠାରେ ଥିବା କିଛିବଡ଼ ବଡ଼ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ପାଇଁ ୩ ଜଣଙ୍କୁ ଦାୟୀ କରାଯାଇ ଗିରଫ କରାଯାଇଛି ।

ପ୍ରଥମେ ତାଇ ପୋ ଜିଲ୍ଲାରେ ଥିବା ଓ୍ବାଙ୍ଗ ଫୁକ୍ କୋର୍ଟ ହାଇସିଂ କଂମ୍ଲେକ୍ସରେ ନିଆଁ ଲାଗି ୧୩ ଜଣଙ୍କର ଜୀବନ ଯାଇଥିବା ଖବର ଆସିଥିଲା । ପରେ ମୃତକଙ୍କ ସଂଖ୍ୟା ୪୦ ଟପିଥିଲା । ସେହିପରି ଅତିକମ୍‌ରେ ୩୦୦ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଯବାନ ମଧ୍ୟ ଅଛନ୍ତି ।ତେବେ ୩୧ ମହଲା ବିଲ୍ଡିଂରେ ନିଆଁ ଲାଗିଥିବା ବେଳେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି । ଓ୍ବାଙ୍ଗ ଫୁକ୍ କୋର୍ଟ ଆବାସିକ ଅଞ୍ଚଳରେ ମୋଟ ୨୦୦୦ ଆପାର୍ଟମେଣ୍ଟ ରହିଛି । ଆପାର୍ଟମେଣ୍ଟ ବାହାରେ ଲାଗିଥିବା ବାଉଁଶରେ ନିଆଁ ଲାଗି ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା । ସେପଟେ କେତେକ ଆପାର୍ଟମେଣ୍ଟରେ ନବୀକରଣ କାର୍ଯ୍ୟ ଚାଲିଥିଲା ବୋଲି ଜଣାପଡିଛି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ନିଆଁ ସମେତ ଉଚ୍ଚକୁ ଉଠୁଥିବା ଧୂଆଁ ମଧ୍ୟ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି କରିଛି । ନିଖୋଜମାନଙ୍କ ସନ୍ଧାନ ମଧ୍ୟ ଆରମ୍ଭ ହୋଇଛି । ହଂକଂର ଉତ୍ତରରେ ଥିବା ତାଇ ପୋ ଚୀନର ମୁଖ୍ୟ ସହର ଶେନଜେନ୍ ସୀମାରେ ଅବସ୍ଥିତ । ସେଠାକେ ବିଲ୍ଡିଂର ନବୀକରଣ କାର୍ଯ୍ୟ ପାଇଁ ବାଉଁଶର ବ୍ୟବହାର କରାଯାଏ । ଆଉ ଏହି ବାଉଁଶ ଯୋଗୁଁ ନିଆଁ ଅଣାୟତ୍ତ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି ।