ଫିରିଙ୍ଗିଆ,୧୧/୭ : ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା । ଓଡ଼ିଶା ମାନଚିତ୍ରରେ ଏହି ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟ ଓ କେନ୍ଦ୍ର ସରକାର ଏହି ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ମଧ୍ୟ ଦେଇଛନ୍ତି । ତଥାପି ଏହି କନ୍ଧମାଳ ଜିଲ୍ଲାର ଅନେକ ଗାଁକୁ ଆଜି ବି ଯାତାୟାତ ସୁବିଧା ନାହିଁ । କେଉଁଠି ନାଳ ଉପରେ କାଠ ପୋଲ ତିଆରି କରି ଲୋକେ ଯିବା ଆସିବା କରୁଛନ୍ତି ତ ଆଉ କେଉଁଠି ଭରା ନଦୀରେ ପଶି ଅତିକ୍ରମ କରୁଛନ୍ତି । ବର୍ଷା ଦିନେ ଉପାନ୍ତ ଅଞ୍ଚଳର ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ମଧ୍ୟ ହୋଇ ପଡୁଛି I
ଏମିତି ଏକ ଉପାନ୍ତ ଅଞ୍ଚଳ ରହିଛି ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବେ ଜଣାଶୁଣା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତରେ I ପଞ୍ଚାୟତର ୬ଟି ଗ୍ରାମର ପ୍ରାୟ ୬ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ରହୁଥିବାବେଳେ ଏମାନଙ୍କ ପାଇଁ ଯାତାୟାତର ସୁବିଧା ନାହିଁ । ବର୍ଷା ଦିନେ ବାଧକ ସାଜୁଛି ମାଦେପଙ୍ଗା ନାଳ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ମୁଖ୍ୟାଳୟଠାରୁ ୩ କିଲୋମିଟର ଦୂରରେ ରହିଛି ମାଦେପଙ୍ଗା ନାଳ । ଖରା ଦିନେ ନାଳ ଡେଇଁ ଯାତାୟତ କରନ୍ତି ଗ୍ରାମବାସୀ । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ । ଏହି ୬ଟି ଗ୍ରାମ ଯାତାୟତ ଅସୁବିଧା ଯୋଗୁଁ ଏହି ନାଳ ଉପରେ ଗୋଟିଏ କାଠ ପୋଲ କରି ଯାତାୟତ କରନ୍ତି ଗ୍ରାମବାସୀ । ବର୍ଷା ଦିନ ହେଲେ ରାସ୍ତା ନ ଥିବାରୁ ମଧ୍ୟ ପଞ୍ଚାୟତରୁ ଚାଉଳ ଆଣିବା ପାଇଁ କଷ୍ଟ ହୁଏ ଓ ରୋଗୀଙ୍କୁ ଖଟିଆରେ ବୋହି ନିଅନ୍ତି ଗ୍ରାମବାସୀ । ବଜାର, ହାଟ, ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ବର୍ଷା ଦିନ କାଠ ପୋଲ ପାର ହୋଇ ଯିବା ମଧ୍ୟ କଷ୍ଟ ଦାୟକ ହେଉଛି । କାରଣ ପାଣି ପଡ଼ି ରାସ୍ତା ନଷ୍ଟ ହୋଇଥିବାବେଳେ କାଠ ପୋଲ ଉପରେ ଯିବା ବିପଦପୂର୍ଣ୍ଣ ହୋଇଥାଏ l ମାଦେପଙ୍ଗା ନାଳରେ ବର୍ଷା ପାଣି ଭରି ରହିଛି । ମାର୍କାଲି, ସିକେରି, ଡେଡ଼ିସରୁ, ମାଦାପଙ୍ଗା, ଭୁଟୁକୁପଡ଼ା, ଶ୍ରୀହାପେଲି, ପଙ୍ଗା, କୁଟିପଡ଼ା ଆଦି ଏହି ସବୁ ଗାଁର ଲୋକ ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ତୁରନ୍ତ ଏହି ମାଦେପାଙ୍ଗା ନାଳରେ ପୋଲ ନିର୍ମାଣ ଓ ପଙ୍ଗା ପଞ୍ଚାୟତକୁ ରାସ୍ତା ପାଇଁ ଦାବି କରି ଆସୁଛନ୍ତି ଗ୍ରାମବାସୀ, କିନ୍ତୁ କୌଣସି ସୁଫଳ ମିଳିନାହିଁ I