ଭଞ୍ଜନଗର,୧୨/୧୨ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟରାସ୍ତାର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଲୁହା ଛଡ଼ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡ଼ିରେ ଥିବା ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ । ଅପରପକ୍ଷେ ଭଞ୍ଜନଗର ପୁଲିସ ଏବଂ ଦମକଳବାହୀନି ମଧ୍ୟ ଘଟଣାସ୍ଥଳକୁ ଯାଇ ଟ୍ରକକୁ କାଟି ମୃତ ଡ୍ରାଇଭରଙ୍କୁ ବାହାର କରି ଭଞ୍ଜନଗର ମେଡ଼ିକାଲକୁ ଆଣୁଛନ୍ତି।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରୁ ଏକ ଟ୍ରକ୍ ଲୁହା ଛଡ଼ ବୋଝେଇ କରି ଭଞ୍ଜନଗର ଅଭିମୁଖେ ଆସୁଥିଲା । ବାଟରେ କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦଠାରେ ଗାଡ଼ି ଚାଳକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଫଳରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିଲା । ପରେ ଗାଡ଼ିଟି ସେଠାରେ ଥିବା ଏକ ସେତୁକୁ ଧକ୍କା ହୋଇଥିଲା। ଲୁହା ଛଡ଼ ଡ଼୍ରାଇଭରଙ୍କ ଶରୀରରେ ପଶିଯାଇଛି । ଏଥିସହ ବିଦ୍ୟୁତ ତାର ଛିଣ୍ଡି ଗାଡ଼ି ଉପରେ ପଡ଼ିଛି । ଏଣୁ ଟ୍ରକ୍ ଦେହରେ ବିଦ୍ୟୁତ୍ ସଂଯୋଗ ଘଟିଥିବା ଆଶଙ୍କାରେ ସ୍ଥାନୀୟ ଲୋକମାନେ ଭୟରେ ଉକ୍ତ ଟ୍ରକ୍ ନିକଟକୁ ଯାଇନଥିବା ସୂଚନା ରହିଛି । ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଭଞ୍ଜନଗର ମେଡ଼ିକାଲକୁ ଅଣାଯାଉଥିବାବେଳେ ଶନିବାର ମୃତକଙ୍କ ପରିବାର ଲୋକ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବା ସହ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।