ଖନ୍ତାପଡ଼ା, ୮।୩: ୧୬ନମ୍ୱର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍କୁ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଫଳରେ ଦୁଇଟି ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଥିବା ବେଳେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମେଡିକାଲ କଲେଜକୁ ପଠାଯାଇଛି ।
ଏହା ବି ପଢ଼ନ୍ତୁ... ନିୟନ୍ତ୍ରଣ ହରାଇ ଘର ଭିତରକୁ ପଶିଗଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତ୍ତିଲେ ଝିଅ, ପୋଷା କୁକୁର ମୃତ
ସୂଚନାନୁସାରେ, ଆଜି ଦିନ ୧୧ଟା ୪୫ ମିନିଟ୍ ସମୟରେ କୁପାରୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଆଶୀର୍ବାଦ ଯାତ୍ରୀବାହି ବସ୍ ଖନ୍ତାପଡ଼ାରେ ଛିଡ଼ା କରି ପାସେଞ୍ଜର ଉଲ୍ଲାହ ଥିଲା । ଏହି ସମୟରେ ପୁରୀରୁ ରାଞ୍ଚି ଯାଉଥିବା ପାନୀକୋଚ ଯାତ୍ରୀବାହି ବସ୍ ପଛପଟୁ ଧକ୍କାଦେବାରୁ ଉଭୟ ବସ୍ରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆମ୍ବୁଲାନ୍ସ ଦ୍ୱାରା ଗୁରୁତରଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପରେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ଟିମ୍ଙ୍କ ପରାମର୍ଶରେ ବାଲେଶ୍ୱର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣାସ୍ଥଳରେ ବାଲେଶ୍ୱର ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।