କୋକସରା, ୧୨।୩: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖୁର୍ସେଲଗୁଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା । ଗତ ବିଳମ୍ବିତ ରାତିରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତରଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଖୁର୍ସେଲଗୁଡ଼ା ଗ୍ରାମର ୨୩ ବର୍ଷୀୟ ଈଶ୍ୱର ପାଳିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଏହା ବି ପଢ଼ନ୍ତୁ... ମହୁଲ ସାଉଁଟିବା ବେଳେ ମାଡ଼ି ବସିଲେ ଦୁଇ ଭାଲୁ; ରକ୍ତାକ୍ତ ଅବସ୍ଥାରେ ବୃଦ୍ଧ ଗୁରୁତର
ଅନ୍ୟ ଜଣେ ଯୁବକ ପିପଲ ଝାପର ଗ୍ରାମର ଟୁନା ମାଝୀ ଅବସ୍ଥା ଜଟିଳ ଥିବାରୁ ତାଙ୍କ ସହିତ ଅନ୍ୟ ଦୁଇ ଯୁବକ ସୁଶାନ୍ତ ବେହେରା, ନବାନ ବାଗକୁ ଚିକିତ୍ସା ପାଇଁ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରାତିରେ କୋକସରା ପୁଲିସ ପହଞ୍ଚିଥିଲେ ତେବେ ଦୁର୍ଘଟଣା ଅଞ୍ଚଳ ଆମପାଣି ଥାନା ପରିସରରେ ଯାଉଥବାରୁ ଆମପାଣି ପୁଲିସକୁ ରିପୋର୍ଟ ଦେବାକୁ କହିଥିଲେ । ଘଟଣା ପରେ ପରିବାର ଲୋକେ ଗୁରୁବାର ଆମପାଣି ଥାନାରେ ରିପୋର୍ଟ ଦେବା ପରେ ଆମପାଣି ପୋଲିସ ପହଞ୍ଚି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।