ଦାରିଙ୍ଗବାଡି,୧୦।୧୧ :  ସୁଦୂର ଉତ୍ତର ପ୍ରଦେଶରୁ ଘୋଡାନାଲ ବେପାରୀ ଆସିଛନ୍ତି ଦାରିଙ୍ଗବାଡି। ପେଟ ପୋଷିବାକୁ ଶହ ଶହ କିଲୋମିଟର ଘୋଡା ଧରି ଆସୁଛନ୍ତି ଯୁବ ବ୍ୟବସାୟୀ I ଘୋଡା ନାଲକୁ ବୁଲି ବୁଲି ବିକ୍ରି କରି ଦି ପଇସା ରୋଜଗାର କରିବା ଆଶାରେ ଆସିଛନ୍ତି I ଜଙ୍ଗଲ ରାସ୍ତାରେ ଘୋଡା ସହ ବହୁ ପର୍ଯ୍ୟଟକ ଫଟୋ ଉଠାଉଥିବାର ଦେଖିବାକୁ ମିଳିଛି।

ସୋମବାର ୪ ଟି ଘୋଡା ସହ ଏହି ଯୁବ ବେପାରୀ ସୋରଡ଼ାରେ ପହଞ୍ଚିଥିଲେ। ପରେ  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଭିମୁଖେ ବାହାରିଛନ୍ତି I ଘାଟି ରାସ୍ତାରେ ଘୋଡା ହାଲିଆ ହୋଇଯିବା ଯୋଗୁଁ ରହି ରହି ଯାଉଛନ୍ତି I ଦାରିଙ୍ଗବାଡିରେ ପହଂଚି ପସରା ମେଲେଇବା ଲକ୍ଷ ନେଇ ଚାଲିଛନ୍ତି ଏହି ବେପାରୀ I ଘୋଡା ନାଲକୁ ମୁଦି କରି ବିକ୍ରି କରନ୍ତି ଏମାନେ I ଏହି ନାଲ ପିନ୍ଧିବା ଦ୍ୱାରା ଅସିଦ୍ଧ କାମ ସିଦ୍ଧ ହେବା ବିଶ୍ୱାସ ରହିଛି I ଏହା ଛଡା ଏହା ଧାରଣ କଲେ ଖରାପ ଶକ୍ତି ପାଖ ମାଡିପାରିବନି ସାହସ ବଢିବ ବୋଲି ବିଶ୍ୱାସ ରହିଛି I ଜଙ୍ଗଲ ରାସ୍ତାରେ ଘୋଡା ଯିବା ଦେଖି ସୋମବାର ବହୁ ପର୍ଯ୍ୟଟକ ଜଙ୍ଗଲ ମଝିରେ ରହି ଘୋଡା ସହ ଫଟୋ ଉଠେଇବାର ଦେଖିବାକୁ ମିଳିଛି I