କାଠମାଣ୍ଡୁ: ନେପାଳରେ ଜେନ୍-ଜିଙ୍କ ଉଗ୍ର ଆନ୍ଦୋଳନ ଦେଶକୁ କେତେ ଯେ କ୍ଷତି ପହଞ୍ଚାଇଛି ତାହା ଆକଳନ କରିବା କଷ୍ଟ । ଲଗାତାର ୪ ଦିନ ଧରି ହିଂସ୍ରକ ଆନ୍ଦୋଳନରେ ଦେଶର ଅନେକ ହୋଟେଲ୍, ବିଶାଳ କୋଠା, ସରକାରୀ ଭବନ ଅସ୍ତିତ୍ବ ହରାଇଛି । ଭାଙ୍ଗିରୁଜି ଯାଇଥିବା ଏହି ସବୁ ଅଟ୍ଟାଳିକା ପୁଣି ଥରେ ଛିଡ଼ା କରିବାକୁ ହେଲେ ବିପୁଳ ଅର୍ଥର ଆବଶ୍ୟକ । ନେପାଳର ଅର୍ଥନୀତି ବିଶେଷ ଭାବରେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ଆଉ ଏଥିପାଇଁ ହୋଟେଲ୍ ଶିଳ୍ପର ଭୂମିକା ବହୁତ । ଜେନ-ଜି ଦେଶର ଅନେକ ହୋଟେଲ୍ରେ ନିଆଁ ଲଗାଇ ଧ୍ବଂସ କରି ଦେଇଛନ୍ତି । ଏହି ପ୍ରତିବାଦ କେବଳ କୋଠା କିମ୍ବା ଅନ୍ୟ କୌଣସି ଭିତ୍ତିମୂମିକୁ କ୍ଷତି ପହଞ୍ଚାଇଛି ତାହା ନୁହେଁ, ବରଂ ଅନେକ ଲୋକଙ୍କ ଚାକିରି ପ୍ରଭାବିତ ହୋଇଛି । ଏହି ସମୟ ମଧ୍ୟରେ ବିକ୍ଷୋଭକାରୀ ଦେଶର ସବୁଠାରୁ ବଡ଼ ହୋଟେଲ୍ ହିଲଟନ୍ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ।
ନେପାଳ ଗଣମାଧ୍ୟମର ଖବର ଅନୁସାରେ, ଜେନ-ଜି ୨୦ରୁ ଅଧିକ ହୋଟେଲ୍କୁ ଧ୍ବଂସ କରିଛନ୍ତି । ଏହି ସବୁ ହୋଟେଲରେ ପୋଡାଜଳା, ଭଙ୍ଗାରୁଜା କରାଯାଇଛି । ଏହାକୁ ଆକଳନ କଲେ, ଦେଶର ହୋଟେଲ ଶିଳ୍ପ ୨୫ ବିଲିୟନ୍ ନେପାଳୀ ଟଙ୍କାରୁ ଅଧକ କ୍ଷତି ସହିଛି । କାଠମାଣ୍ଡୁରେ ଥିବା ହିଲଟନ୍ ହୋଟେଲ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ହୋଟେଲ କିନ୍ତୁ ଏହାର କ୍ଷତି ହୋଇଛି ୮ ବିଲିୟନ ଟଙ୍କା । କାଠମାଣ୍ଡୁ ବ୍ୟତୀତ ପୋଖରା, ବୁଟଓ୍ବାଲା, ଭୈରହାଓ୍ବା, ଝାପା, ବିରାଟନଗର, ଧାଙ୍ଗଡ଼ି, ମହୋତ୍ତରି ଏବଂ ଡାଙ୍ଗ-ତୁଳସୀପୁର ଭଳି ସହରରେ ଥିବା ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡର ହୋଟେଲ ମଧ୍ୟ ହିଂସାର ଶିକାର ହୋଇଛି ।
କ୍ଷତିଗ୍ରସ୍ତ ହୋଟେଲଗୁଡ଼ିକୁ ପୁନଃନିର୍ମାଣ ନକରି ସଞ୍ଚାଳନ କରିବା କଷ୍ଟକର । ଫଳରେ ହଜାର ହଜାର କର୍ମଚାରୀ ପ୍ରଭାବିତ ହେବେ । ବର୍ତ୍ତମାନ ହୋଟେଲଗୁଡ଼ିକ ଋଣ ପରିଶୋଧ କରିବା ଲାଗି ସଂଘର୍ଷ କରିବେ । କ୍ଷତିର କ୍ଷତ ଏତେ ଅଧିକ ଯେ, ହୋଟେଲ ଶିଳ୍ପ ସହ ଜଡ଼ିତ ପ୍ରତ୍ୟେକ କର୍ମଚାରୀ ଆର୍ଥିକ ଅଭାବର ସମ୍ମୁଖୀନ ହେବେ । ସେପଟେ ଏଥି ଲାଗି ଏକ କମିଟି ଗଠନ କରି ଦୋଷୀଙ୍କୁ ଦଣ୍ଡ ଦିଆଯିବା ସହ କ୍ଷତିପୂରଣ ଦିଆଯାଉ ବୋଲି ହୋଟେଲ୍ ଶିଲ୍ପର ସଂଘ ସରକାରଙ୍କ ପାଖରେ ଦାବି କରିଛି ।