ସମୟ ପୂର୍ବରୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ହେବା ଦ୍ୱାରା ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ମାତ୍ରାଧିକ ଗରମ ହେବା ଯୋଗୁଁ ଥକାପଣ ଅନୁଭୂତ ହୋଇଥାଏ । ଏହାଦ୍ୱାରା ଅର୍ଗାନ୍‌ ଫେଲ୍‌ ହେବାର ସମ୍ଭାବନା ମଧ୍ୟ ରହିଛି । ଏପରିକି ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଶରୀରରେ ଜଳୀୟଅଂଶର ଅଭାବ, ମୁଣ୍ଡ ବୁଲେଇବା ଏବଂ ଚେତାଶୂନ୍ୟ ହେବା ଭଳି ଅନେକ ସମସ୍ୟା ହୋଇପାରେ । 

ଗ୍ରୀଷ୍ମ ପ୍ରବାହ ଫଳରେ ଶରୀରରେ ପରିବର୍ତ୍ତନ-

ଅତ୍ୟଧିକ ଖରା ହେବା ଫଳରେ ଶରୀର ତାପମାତ୍ରା ନିୟନ୍ତ୍ରଣ କରି ପାରିନଥାଏ । ଏହି କାରଣରୁ ଅତ୍ୟଧିକ ଝାଳ ବାହାରିବା  ସହ ତ୍ୱଚା ହଳଦିଆ ପଡ଼ି ଧିରେ ଧିରେ ଲାଲ୍‌ ହୋଇଯାଇଥାଏ । ଏହା ପରେ ପରେ ଦୁର୍ବଳତା ଅନୁଭବ ହେବା ସହ ମୁଣ୍ଡ ବୁଲେଇବା ଏବଂ ବିନ୍ଧା ହେବା, ଏବଂ ପରେ ବାନ୍ତି ମଧ୍ୟ ହୋଇଥାଏ । ଯଦି ସଠିକ୍ ସମୟରେ ଏହାର ଚିକିତ୍ସା କରା ନଯାଏ, ତେବେ ଏହା ଅଂଶୁଘାତରେ ପରିଣତ ହୋଇଥାଏ । 

ଅଂଶୁଘାତ ଏବଂ ଅର୍ଗାନ୍‌ ଫେଲ୍‌ - 

ଯଦି ଜଣଙ୍କୁ ଅଂଶୁଘାତ ହୁଏ, ତେବେ ସେହି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ବହୁ ମାତ୍ରାରେ ବଢିବାକୁ ଲାଗିଥାଏ । ଏହି ସମୟରେ ଶରୀରର ତାପମାତ୍ରା ବଢି ୪୦ଂ ସେଲସିୟସ୍‌ (୧୦୪ଂ ଫାରେନହାଇଟ୍‌ରୁ ଉର୍ଦ୍ଧ୍ୱ) ହୋଇଥାଏ । ଅଂଶୁଘାତର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶରୀରର ଚାପମାତ୍ରା ଅଧିକ ହେବା ସହ କଥା କହିବାରେ କଷ୍ଟ ହେବା ଏବଂ ଆଣ୍ଠୁ ଗଣ୍ଠି ବାତ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଏତେ ବିପଦଜନକ ଯେ, ଜଣେ ବ୍ୟକ୍ତି କୋମାକୁ ମଧ୍ୟ ଯାଇପାରେ । ଏପରି ସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଅର୍ଗାନ୍‌ ମଧ୍ୟ ଫେଲ୍‌ ହୋଇପାରେ । ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ ଏବଂ ଯକୃତ ଭଳି ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ଫେଲ୍‌ ହୋଇପାରେ । ଯାହା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇ ପାରେ । 

ଶରୀରରେ ଜଳର ଅଭାବ-

ଅତ୍ୟଧିକ ଖରା ହେବା କାରଣରୁ ଶରୀରର ଜଳୀୟଅଂଶ ଝାଳରେ ବହାରି ଯାଇଥାଏ । ଏହାଦ୍ୱାରା ଶରୀରରେ ଜଳର ଅଭାବ ଦେଖା ଦେଇଥାଏ । ତେଣୁ ଯଥା ସମ୍ଭବ ପାଣି ପିଅନ୍ତୁ । ଅତ୍ୟଧିକ ଗରମ ହେବା କାରଣରୁ ଶେଇବାରେ ମଧ୍ୟ ସମସ୍ୟା ଦେଖା ଦେଇପାରେ ।