ନୂଆଦିଲ୍ଲୀ, ୦୮/୧୦: ଭାରତକୁ ଦେବାକୁ ଭିତରେ ଭିତରେ ଭିତ୍ତିପ୍ରସ୍ତର ପକାଉଛି ଆମେରିକା । ଭାରତ ବିରୋଧରେ ଯୁଦ୍ଧ କରିବାକୁ ଉସୁକାଉଛି ପାକିସ୍ତାନ । ଏନେଇ ପାକକୁ ଅତ୍ୟାଧୁନିକ ମିସାଇଲ ଦେବ ବୋଲି ଚୁକ୍ତି କରିଛି । ଆମେରିକା ପ୍ରତିରକ୍ଷା ବିଭାଗ ଏକ ପ୍ରେସ୍ ରିଲିଜ୍ କରି ପାକିସ୍ତାନକୁ ଖୁବ୍ ଶୀଘ୍ର AIM-120 ଆଡ୍ଭାନ୍ସଡ ମିଡିୟମ- ରେଞ୍ଜ ଏୟାର-ଟୁ- ଏୟାର ମିସାଇଲ (AMRAAM) ଦେବ ବୋଲି କହିଛି । ଆମେରିକା ସହ ଏହି ଅସ୍ତ୍ରଶସ୍ତ୍ର ଚୁକ୍ତିରେ ପାକିସ୍ତାନ ମଧ୍ୟ ରହିଛି । ଏହି ଚୁକ୍ତି ଅନୁଯାୟୀ, ରେଥିୟାନ୍ କମ୍ପାନୀରୁ ୪.୧୬ କୋଟି ଆମେରିକୀୟ ଡଲାରର ସଂଶୋଧିତ ଆଦେଶ ମିଳିଛି, ଯାହା ମୋଟ୍ ଚୁକ୍ତିର ୨.୫୧ ଆରବ ଡଲାରଠାରୁ ଅଧିକ ।
AMRAAM ମିସାଇଲ କ’ଣ?
AIM-120 AMRAAM ଏକ ଏୟାର-ଟୁ- ଏୟାର ମିଡିୟମ ରେଞ୍ଜ୍ ମିସାଇଲ । ଯାହା ଶତ୍ରୁ ବିମାନକୁ ଦୀର୍ଘ ଦୂରତାରୁ ଟାର୍ଗେଟ କରିପାରିବ । ଏହାକୁ F-16 ଫାଲ୍କନ୍ ଯୁଦ୍ଧ ବିମାନ ଉପରେ ଲଗାଯାଇଥଏ । ପାକିସ୍ତାନ ବାୟୁସେନା ଏହା ପୂର୍ବରୁ ମଧ୍ୟ ୨୦୧୯ ରେ ହୋଇଥିବା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଭାରତ ସହ ସଂଘର୍ଷରେ ଏହାକୁ ବ୍ୟବହାର କରିଥିଲା । ବର୍ତ୍ତମାନ PAF ପାଖରେ ଏହାର C5 ଭର୍ସନ୍ ରହିଛି । ହେଲେ ନୂତନ ଚୁକ୍ତି C8 ଏବଂ D3 ଭର୍ସନର ଉତ୍ପାଦନ ପାଇଁ କରାଯାଇଛି ।
ବାଲାକୋଟ ଆକ୍ରମଣ ସହ ଜଡ଼ିତ ଇତିହାସ-
ଫେବୃୟାରୀ ୨୦୧୯ରେ ଭାରତ ବାଲାକୋଟରେ ଜୈଶ-ଏ-ମହମ୍ମଦ (JeM)ର ସବୁଠାରୁ ବଡ଼ ଆତଙ୍କୀ ପ୍ରଶିକ୍ଷଣ ଶିବିର ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ବହୁ ସଂଖ୍ୟାରେ ଆତଙ୍କବାଦୀ, ପ୍ରଶିକ୍ଷକ ଏବଂ ଆତଙ୍କୀ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ପାକିସ୍ତାନ F-16 ବିମାନରେ AMRAAM ମିସାଇଲ ବ୍ୟବହାର କରି ପ୍ରତିଶୋଧ ନେଇଥିଲା ।
ଆମେରିକା ପ୍ରତିରକ୍ଷା ବିଭାଗ ସେପ୍ଟେମ୍ୱର ୩୦ ତାରିଖରେ ଜାରି କରିଥିବା ବୟାନ ଅନୁଯାୟୀ, ଏହି ଚୁକ୍ତି କେବଳ ପାକିସ୍ତାନ ପାଇଁ ନୁହେଁ, ବରଂ ଏଥିରେ ଆହୁରି ଅନେକ ଦେଶମାନଙ୍କୁ ସାମିଲ କରାଯାଇଛି । ୟୁକେ, ପୋଲାଣ୍ଡ, ଜର୍ମାନୀ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କତାର, ଓମାନ, କୋରିଆ, ଜାପାନ, ଇସ୍ରାଏଲ, ତୁର୍କୀ ଇତ୍ୟାଦି ଦେଶ ଏଥିରେ ସାମିଲ ହୋଇଛନ୍ତି । ୨୦୩୦ ମେ’ ମାସ ସୁଦ୍ଧ ଏହି ମିସାଇଲ୍ ମିଳିବ । ହେଲେ ପାକିସ୍ତାନକୁ କେତେ ମିସାଇଲ ମିଳିବ, ତାହା ସ୍ପଷ୍ଟ ହୋଇନାହିଁ । ଏହି ଚୁକ୍ତି ପାକିସ୍ତାନ ବାୟୁସେନାର F-16 ଅପଗ୍ରେଡେସନ୍ ପରେ ମିଳିବ ।
ଗତ କିଛି ମାସ ମଧ୍ୟରେ ୱାଶିଂଟନ୍ ଏବଂ ଇସଲାମାବାଦ ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି । ଆଉ ଏହି ସମୟରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି । ଅପରେସନ ସିନ୍ଦୂର ବେଳେ ହୋଇଥିବା ଅସ୍ତ୍ର ବିରତିର ଶ୍ରେୟ ପାକିସ୍ତାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଥିଲା । ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବା ପାଇଁ ସୁପାରିଶ କରିଛି । ତେଣୁ ଦୁଇ ଦେଶ ମଧ୍ୟରେ ଏହି ସିକ୍ରେଟ୍ ମିସାଇଲ ଚୁକ୍ତି ହୋଇଛି ।