ନୂଆଦିଲ୍ଲୀ, ୧୩/୯ : ଆପଣଙ୍କ ନାଁରେ ଏକାଧିକ ସିମ୍ କାର୍ଡ ନାହିଁ ତ ? ଆଧାରର ଅପବ୍ୟବହାର ହୋଇନି ତ ? ତାହେଲେ ସାବଧାନ... ମାତିଛନ୍ତି ସାଇବର୍ ଲୁଟେରା। ଡିଜିଟାଲ୍ ଯୁଗରେ ବଢିଛି ଆଇଡେଣ୍ଟିଟି ଥେଫ୍ଟ। ପରିଚୟ ଚୋରି ସମ୍ପର୍କିତ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି। ଲକ୍ଷାଧିକ ଇଣ୍ଟରନେଟ୍ ୟୁଜରଙ୍କ ଆଇଡି ଇଣ୍ଟରନେଟ୍‌ରେ ଲିକ୍ ହୋଇ ଅପବ୍ୟବହାର କରାଯାଉଛି। ଲୋକଙ୍କ ଅଜାଣତରେ ସେମାନଙ୍କ ନାଁରେ ସିମ୍ କାର୍ଡ ଆକ୍ଟିଭେଟ କରି ଡାର୍କ ୱେବ୍‌ରେ ବ୍ୟବହାର କରାଯାଉଛି। 

ଏଥିରେ ଆପଣଙ୍କର ଆଇଡି ବି ବ୍ୟବହାର ହୋଇଥାଇ ପାରେ। ଆପଣଙ୍କ ନାଁରେ ସିମ୍ କାର୍ଡ ଆକ୍ଟିଭ ହୋଇଥାଇପାରେ। ଯାହାଦ୍ଵାରା ଆପଣ ସାଇବର୍ ଅପରାଧ ସମ୍ପର୍କିତ ମାମଲାରେ ଫସି ପାରନ୍ତି। ତେଣୁ ଆପଣଙ୍କ ଆଧାର ସହିତ କେତୋଟି ସିମ୍‌ କାର୍ଡ ଲିଙ୍କ୍ ରହିଛି ତୁରନ୍ତ ଘରେ ବସି ଚେକ୍ କରି ନିଅନ୍ତୁ। ଯଦି କୌଣସି ଫର୍ଜି ନମ୍ଵର ରହିଛି ତାହେଲେ ତାକୁ ବ୍ଲକ୍ କରିଦିଅନ୍ତୁ। ଏଥିପାଇଁ ସରକାର ୟୁଜରଙ୍କୁ ଚେକ୍ କରିବା ପାଇଁ ବିକଳ୍ପ ଦେଇଛନ୍ତି। ସଂଚାର ସାଥୀ ପୋର୍ଟାଲରେ ଯାଇ ଚେକ୍ କରିପାରିବେ। 

ପ୍ରଥମେ ଆପଣ sancharsaathi.gov.in ୱେବସାଇଟ୍‌ରେ ଭିଜିଟ୍ କରିବେ। ଏଠାରେ ମୋବାଇଲ୍ ନଂ ଓ କ୍ୟାପ୍ଚା ଭରିବା ପରେ ଏହାକୁ ଭ୍ୟାଲିଡେଟ୍ କରିବେ। ଏହାପରେ ଆପଣଙ୍କ ନମ୍ଵରକୁ ଏକ ଓଟିପି ଆସିବ। ଏହି ଓଟିପି ଏଣ୍ଟର୍ କରିବା ପରେ ଲଗଇନ୍ କରିବେ। ଏହାପରେ ଆପଣଙ୍କ ନାଁରେ ଆକ୍ଟିଭେଟ୍ ଥିବା ସମସ୍ତ ନମ୍ଵର ସ୍କ୍ରିନରେ ଦେଖାଯିବ। ନମ୍ଵର ଲିଷ୍ଟ ପାଖରେ ୩ଟି ଅପ୍ସନ ରହିଛି। ଏଥିରେ Not my number, Not required, Required ବିକଳ୍ପ ରହିଛି। ଏହି ନମ୍ଵର ଭିତରୁ ଯଦି କେଉଁ ନମ୍ଵରଟି ଆପଣ ବ୍ୟବହାର କରୁ ନାହାନ୍ତି ତାହେଲେ ତାହାକୁ ସିଲେକ୍ଟ କରି Not my number ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ। ତଳେ ଦିଆଯାଇଥିବା ରିପୋର୍ଟ ବଟନ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ସେହି ନମ୍ଵରଟି ବ୍ଲକ୍ ହୋଇଯିବ।