ନୂଆଦିଲ୍ଲୀ, ୧୯/୧୦ : ବାରମ୍ବାର ବିମାନ ଉଡ଼ାଇ ଦେବାକୁ ଆସୁଛି ଧମକପୂର୍ଣ୍ଣ ଫୋନକଲ୍। ଗତ ୫ ଦିନ ମଧ୍ୟରେ ୪୦ଟି ବିମାନ ଉଡ଼ାଇଦେବାକୁ ମିଳିଲାଣି ଧମକ। ହେଲେ ଏଯାବତ୍ କୌଣସି ବିମାନରେ ବ୍ଲାଷ୍ଟ ହୋଇନାହିଁ। ତେବେ ଆପଣ ଜାଣିଛନ୍ତି କି ? ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ପାଇଁ କେତେ କ୍ଷତି ସହୁଛି ଇଣ୍ଡିଆନ୍ ଏୟାରଲାଇନ୍ସ ? ଏକ ଅନୁମାନ ମୁତାବକ, ଏହି ଧମକପୂର୍ଣ୍ଣ ଫୋନ କଲ୍ ପାଇଁ କୋଟି କୋଟି ଟଙ୍କା କ୍ଷତି ସହୁଛି ଭାରତୀୟ ଏୟାରଲାଇନ୍ସ। ପୂର୍ବ ନିର୍ଦ୍ଧାରିତ ଡେଷ୍ଟିନେସନରେ ପହଞ୍ଚିବା ପାଇଁ ନିର୍ଦ୍ଧିଷ୍ଟ ହୋଇଥାଏ ବିମାନ ଖର୍ଚ୍ଚ। ହେଲେ ହଠାତ୍ ଏଥିରେ କୌଣସି ପ୍ରକାରର ପରିବର୍ତ୍ତନ କରାଗଲେ ବଢିଯାଏ ବିମାନ ଖର୍ଚ୍ଚ। ବିମାନର ଇନ୍ଧନ, ସିଡ୍ୟୁଲ ଲ୍ୟାଣ୍ଡିଂ, ଏୟାରପୋର୍ଟରେ ପାର୍କିଂ ଫି ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲାଗେ ଅଧିକ ଫି।
ଉଦାହରଣ ସ୍ଵରୂପ, ଅକ୍ଟୋବର ୧୪ରେ ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭ ବିମାନ ମୁମ୍ଵାଇରୁ ନ୍ୟୁୟର୍କର ଜେକେଏଫ୍ ଏୟାରପୋର୍ଟକୁ ଯାତ୍ରା ଆରମ୍ଭ କରିଥିଲା। ହେଲେ ଟେକଅଫ୍ର କିଛି ସମୟ ପରେ ହଠାତ୍ ଏକ ଫୋନ୍ କଲ୍ ଆସିଥିଲା। ଆଉ ବିମାନକୁ ଉଡାଇ ଦେବାକୁ ଧମକ ମିଳିଥିଲା। ଫଳରେ ୨୦୦ ଯାତ୍ରୀ ଏବଂ ୧୩୦ ଟନ୍ ଜେଟ୍ ଫୁଏଲ୍ ଲଦା ହୋଇଥିବା ଏହି ବିମାନକୁ ତୁରନ୍ତ ଦିଲ୍ଲୀକୁ ଡାଇଭର୍ଟ କରାଗଲା। ସୁରକ୍ଷିତ ଲ୍ୟାଣ୍ଡିଂ ପାଇଁ ୧୦୦ ଟନ୍ ଜେଟ୍ ଫୁଏଲ୍ ଖର୍ଚ୍ଚ ହେଲା। ଏଥିପାଇଁ ଏୟାରଲାଇନ୍ସର ପାଖାପାଖି ଏକ କୋଟି କ୍ଷତି ହେଲା।
ସେହିପରି ଅକ୍ଟୋବର ୧୫ରେ ବି ସମାନ ଘଟଣା ଘଟିଲା। ଏୟାର ଇଣ୍ଡିଆର ବୋଇଙ୍ଗ୍ ୭୭୭ ବିମାନ ଦିଲ୍ଲୀରୁ ଚିକାଗୋ ଯାଉଥିଲା। ଅଚାନକ ବମ୍ ଧମାକା ଧମକ ମିଳିଲା। ଫଳରେ ବମାନକୁ କାନାଡାରେ ଲ୍ୟାଣ୍ଡିଂ କରିବାକୁ ପଡିଲା। ଏହି ବିମାନରେ ୨୦୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ। କାନାଡ଼ାରେ ବିମାନକୁ ୩ ଦିନ ରହିବାକୁ ପଡିଲା। ଏୟାରଲାଇନ୍ସ କାନାଡା ବାୟୁସେନାର ବିମାନ ଭଡ଼ାରେ ନେଇ ଯାତ୍ରୀଙ୍କୁ ସେମାନଙ୍କ ଡେଷ୍ଟିନେସନରେ ପହଞ୍ଚାଇଲା। ଏଥିପାଇଁ ଏୟାରଲାଇନ୍ସର ଖର୍ଚ୍ଚ ଆହୁରି ବଢିଗଲା। ଏମିତିରେ ଇଣ୍ଡିଆନ୍ ଏୟାରଲାଇନ୍ସ ଉପରେ ୧୫ ରୁ ୨୦ କୋଟି ଅତିରିକ୍ତ ଖର୍ଚ୍ଚ ପଡିଗଲା।
ବାରମ୍ବାର ଏଭଳି ଧମକପୂର୍ଣ୍ଣ କଲ୍ ଆସିବା ଘଟଣା ଏବେ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏନେଇ ଜରୁରୀ ପଦକ୍ଷେପ ଉଠାଇବା ଜରୁରୀ ହୋଇପଡିଛି। ନାଗରିକ ଉଡାଣ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି ଯେ, ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ।