ନୂଆଦିଲ୍ଳୀ ୦୧/୧୧: ଏକ ନିର୍ଦ୍ଧିଷ୍ଟ ବୟସ ପରେ ଘରର ବରିଷ୍ଠମାନଙ୍କ ବ୍ୟବହାରରେ  ପରିବର୍ତ୍ତନ ଆସିଥାଏ । ଏପରିକି  ସେମାନେ ଚିଡ୍‌ଚିଡା ହୋଇଯାଇଥାନ୍ତି,  ଏପରିକି ସେମାନଙ୍କୁ ବୁଝିବା ମଧ୍ୟ  କଷ୍ଟକର ହୋଇପଡିଥାଏ । ଯଦି ଆପଣଙ୍କ  ଘରେ ଏମିତି ସ୍ଥିତି ଉପୁଜିଥାଏ, ତେବେ  ଚାଲନ୍ତୁ ଜାଣିବା ଘରେ ଥିବା ବୟସ୍କମାନଙ୍କୁ  କେମିତି ନିୟନ୍ତ୍ରିତ କରିପାରିବେ । ଏକ ନିର୍ଦ୍ଧିଷ୍ଟ ବୟସ ବିତିବା ପରେ ସମସ୍ତଙ୍କୁ  ବୟସ୍କର ଆଖ୍ୟା ଦିଆଯାଇଥାଏ ।  ସେମାନେ ଜୀବନରେ ବହୁ ଉତ୍ଥାନ-ପତ୍ତନ  ଦେଖି ଦେଖି ସେହି ସ୍ଥାନରେ ପହଞ୍ଚିଥାନ୍ତି ।  ବୟସ ବଢିବା ସହ ସେମାନଙ୍କ ଭିତରେ  ଜିଦି ଓ ରାଗ ଏକାଠି ହୋଇ ଧୀରେ  ଧୀରେ ବଢିଥାଏ । ତେଣୁ ସେମାନଙ୍କୁ  ବୁଝିବା ପରିବାର ସଦସ୍ୟଙ୍କ ପାଇଁ ଖୁବ୍‌  କଷ୍ଟକର ହୋଇଥାଏ । କିନ୍ତୁ ଅସମ୍ଭବ  ନୁହେଁ । ଚାଲନ୍ତୁ ଜାଣିବା ଏମିତି କିଛି  ଆଇଡିଆ ।  

ବୟସ୍କଙ୍କ ରାଗିବାର କାରଣ ଜାଣନ୍ତୁ:  ଘରେ ଥିବା ବୟସ୍କ ଲୋକମାନେ ଖୁବ୍‌  ଶୀଘ୍ର ରାଗି ଯାଇଥାନ୍ତି । ଆଉ ରାଗରେ  ଏଣୁତେଣୁ ବହୁତ କିଛି କହିଦେଇଥାନ୍ତି ।  ଏହି ସ୍ଥିତିରେ ପିଲାମାନେ ବରିଷ୍ଠମାନଙ୍କ  ରାଗର କାରଣ ବୁଝିବା ପରିବର୍ତ୍ତେ ଓଲଟା  ଝଗଡା କରି ବସନ୍ତି । ଏପରି କରିବା  ପରିବର୍ତ୍ତେ ବୟସ୍କମାନଙ୍କ ପାଖରେ  ବସି ତାଙ୍କ ରାଗିବାର କାରଣ ବୁଝିବାକୁ  ଚେଷ୍ଟା କରିବା ଆବଶ୍ୟକ । ଏହାବ୍ୟତୀତ  ପରିବାର ସଦସ୍ୟମାନେ ବୟସ୍କମାନଙ୍କୁ  ସବୁବେଳେ ଖୁସି ରଖିବାକୁ ବିଭିନ୍ନ ପ୍ରୟାସ  କରିବା ଉଚିତ୍‌ ।  

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହେବାର ଅନୁଭବ  କରାନ୍ତୁ: ଅନେକ ସମୟରେ ଘରର ଅନ୍ୟ  ସଦସ୍ୟମାନେ ବୟସ୍କମାନଙ୍କୁ ଅଣଦେଖା  କରିଦେଇଥାନ୍ତି । ଜାଣିରଖନ୍ତୁ ଯେ ଏହା  ମଧ୍ୟ ବୟସ୍କମାନଙ୍କ ଚିଡ୍‌ଚିଡା ହେବାର  ଅନ୍ୟତମ ଲକ୍ଷଣ ହୋଇପାରେ । ତେଣୁ  ଘରର ବୟସ୍କମାନଙ୍କୁ ଗୁରୁତ୍ୱପୂର୍ଣ୍ଣ  ବୋଲି ଭାବିବା ସହ ଅନୁଭବ କରାନ୍ତୁ ।  ଯଥାସମ୍ଭବ ସବୁ ସମୟରେ ସେମାନଙ୍କ  ଯତ୍ନ ନେବାକୁ ଚେଷ୍ଟା କରନ୍ତୁ । ସବୁଦିନ  ଦେହ କେମିତି ଅଛି ବୋଲି ନିଶ୍ଚୟ  ପଚାରନ୍ତୁ, ସିଢି ଚଢିବା ସମୟରେ ହାତ  ଧରନ୍ତୁ, ଆଖାପାଖକୁ ଯିବା ସମୟରେ  ସାଙ୍ଗରେ ଯାଆନ୍ତୁ । ଏପରି କରିବା ଦ୍ୱାରା  ସେମାନେ ନିଜକୁ ଗୁରୁତ୍ୱପୂର୍ଣ୍ଣ ଭାବିବା  ସହ ଖୁସି ହୋଇଥାନ୍ତି । 

ନିୟମିତ ବୟସ୍କଙ୍କ ସହ କିଛି ସମୟ  ବିତାନ୍ତୁ: ଆଜିକାଲି ପ୍ରାୟ ସମସ୍ତଙ୍କ  ପାଖରେ କେବଳ କାମ ହିଁ କାମ ରହୁଛି ।  ତେଣୁ ବ୍ୟସ୍ତ ରହିବା ସ୍ୱାଭାବିକ । ଏପରି  ପରିସ୍ଥିତିରେ ଘରର ବୟସ୍କ ଲୋକମାନେ  ଉଦାସ ରହିଥାନ୍ତି । କ୍ରମଶଃ ଚିଡଚିଡା ମଧ୍ୟ  ହୋଇପଡିଥାନ୍ତି । ତେଣୁ ଘରର ଅନ୍ୟ  ସଦସ୍ୟମାନେ ନିଜ କାମରୁ କିଛି ସମୟ  ବାହାର କରି ସେମାନଙ୍କ ପାଖରେ ସମୟ  ବିତାଇବା ଜରୁରି । ସେମାନଙ୍କ ସହ କିଛି  ନା କିଛି କଥାବାର୍ତ୍ତା ନିଶ୍ଚୟ ହୁଅନ୍ତୁ । ନିଜର  ଖୁସି ବାଣ୍ଟିବା ସହ ତାଙ୍କ ଅନୁଭବରୁ କିଛି  ଶିଖିବାକୁ ଚେଷ୍ଟା କରନ୍ତୁ । 

ସମସ୍ୟାକୁ ବରିଷ୍ଠଙ୍କ ସହ ବାଣ୍ଟନ୍ତୁ:  କେତେକ ଘରେ ଲୋକମାନେ  ବରିଷ୍ଠମାନଙ୍କୁ ଆଉଟ୍‌ଡେଟେଡ୍‌ ଭାବି  ଅନେକ କଥା ଓ ସମସ୍ୟାକୁ ବାଣ୍ଟି ନଥାନ୍ତି ।  କିନ୍ତୁ ଜାଣନ୍ତି କି ସେମାନଙ୍କ ପାଖରେ ଥିବା  ଅନୁଭବ ଆପଣଙ୍କ ସମସ୍ୟାକୁ ଚୁଟ୍‌କିରେ  ସମାଧାନର ବାଟ ଦେଖାଇ ଦେଇପାରେ ।  ଏପରିକି ଘରର ବଡ଼ମାନଙ୍କ ସହ ସମସ୍ୟା  ବାଣ୍ଟିବା ଦ୍ୱାରା ମଧ୍ୟ ମନ ହାଲ୍‌କା ଲାଗିବା  ସହ ସେମାନଙ୍କୁ ଖୁସି ଲାଗିବ । ଏପରି  କରିବା ଦ୍ୱାରା ସେମାନଙ୍କ ଚିଡ୍‌ ଚିଡାପଣ  ଦୂର ହୋଇଥାଏ ।