ରାଉରକେଲା ୦୨/୧୦ : ବାର୍‌କୁ ଯେତେ ଝିଅ ଆସିବେ, ତାଙ୍କ ସହ ଆପେ ଆପେ ଟାଣି ହୋଇ ଆସିବେ ସେମାନଙ୍କ ପୁରୁଷ ବନ୍ଧୁ । ଦିଗୁଣା ହେବ ବେପାର । ସେଥିଲାଗି ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଥିଲେ ‘ହୁଡଦଙ୍ଗ୍‌’ ବାର୍‌ କର୍ତ୍ତୃପକ୍ଷ । ଯୁବପିଢ଼ିଙ୍କୁ ଭିଡ଼ିବାକୁ ବଣ୍ଟାଯାଉଥିଲା ମାଗଣା ମଦ । ଝିଅଙ୍କ ପାଇଁ ଥିଲା ଖାସ୍‌ ଅଫର । ସେମାନଙ୍କୁ ପ୍ରଥମ ୨ ପେକ୍‌ ମଦ ଫ୍ରି’ରେ ଦିଆଯାଉଥିଲା । ମନପସନ୍ଦର ନାମୀଦାମୀ ବ୍ରାଣ୍ଡର ଧାଡ଼ି ଲଗାଇ ଦିଆଯାଉଥିଲା । ମନୋରଞ୍ଜନ ପାଇଁ କୋଲକାତାରୁ ଆସୁଥିଲେ ଡିଜେ ଟିମ୍‌ । ସବୁ ନିୟମକୁ ମୋଡ଼ିମକଚି ସନ୍ଧ୍ୟା ୭ଟାରୁ ଆରମ୍ଭ ହେଉଥିବା ମଦ୍ୟପାନ ଆସର ରାତି ସାଢ଼େ ୧ଟା ଯାଏ ଜମୁଥିଲା । ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଖୋଲାଖୋଲି ଏଭଳି ବେନିୟମ କାର୍ଯ୍ୟ ଚାଲିଥିବାବେଳେ ଆଖି ବୁଜି ଦେଇଥିଲା ପୁଲିସ୍‌ । ବାର୍‌ ବିରୋଧରେ ଅଭିଯୋଗ ସତ୍ତେ୍ୱ ଅବକାରୀ ବିଭାଗ ମଧ୍ୟ ଚୁପ୍‌ ବସିଥିଲା । ‘ସେନ୍‌ସୋରୀ ପାର୍କ-ଷ୍ଟେସନ ରୋଡ୍‌’ ନାବାଳିକା ଗଣବଳାତ୍କାର ଘଟଣା ଲିଙ୍କ୍‌ରେ ‘ହୁଡ୍‌ଦଙ୍ଗ’ ବାର୍‌କୁ ସିଲ୍‌ କରାଯାଇଛି ସତ, ହେଲେ ଏବେ ଧୀରେ ଧୀରେ ଏହାର ଗୁମର ଖୋଲିବାରେ ଲାଗିଛି । 

ସ୍ମାର୍ଟସିଟି ରାଉରକେଲା । ଏଠାରେ ଗଢ଼ିଉଠିଛି ଆନ୍ତର୍ଜାତିକସ୍ତରର ଶିକ୍ଷାନୁଷ୍ଠାନ । କେବଳ ରାଜ୍ୟର କୋଣ ଅନୁକୋଣରୁ ନୁହଁନ୍ତି, ବରଂ ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ପାଠ ପଢ଼ିବାକୁ ଆସୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ଏଭଳି ଉଚ୍ଚଶିକ୍ଷିତ ଯୁବପିଢ଼ି ଥିଲେ ‘ହୁଡ୍‌ଦଙ୍ଗ’ ବାର୍‌ କର୍ତ୍ତୃପକ୍ଷଙ୍କର ଟାର୍ଗେଟ୍‌ରେ । ବିଶେଷ କରି କଲେଜ ପଢୁଆ ଝିଅଙ୍କୁ ଆକୃଷ୍ଟ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବାର୍‌ ମାଲିକ । ବାର୍‌କୁ ପ୍ରବେଶ ପୂର୍ବରୁ କାଉଣ୍ଟରରେ ପ୍ରଥମେ ୧୦୦୦ ଟଙ୍କା ପୈଠ କରିବାକୁ ପଡୁଥିଲା । ଏହାପରେ ଭିତରକୁ ଛଡ଼ାଯାଉଥିଲା । ବାର୍‌କୁ ଯିଏ ଯାଉଥିଲା, ସମସ୍ତଙ୍କୁ ଫ୍ରି’ ମଦ ମିଳୁ ନ ଥିଲା । ଏହି ଅଫର ରହିଥିଲା କେବଳ ଝିଅମାନଙ୍କ ପାଇଁ । ସେମାନେ ଯେଉଁ ବ୍ରାଣ୍ଡ୍‌ର ମଦ ପିଇବାକୁ ଚାହିଁବେ, ପ୍ରଥମ ୨ ପେକ୍‌ (୧୫ ଏମ୍‌ଏଲ୍‌ ଲେଖାଏଁ) ମାଗଣାରେ ଦିଆଯାଉଥିଲା । ବାର୍‌ର ରାଜକୀୟ ପରିବେଶ, ଆଖି ଝଲସାଇଦେବା ଦେବା ଭଳି ଆଲୁଅ ସାଙ୍ଗକୁ ଡିଜେର ତାଳେ ତାଳେ ଆସର ଜମୁଥିଲା । ନାଚିବା ଲାଗି ବ୍ୟବସ୍ଥା ହୋଇଥିଲା । ନାଚିବା ପାଇଁ ଝିଅଙ୍କୁ ସ୍ୱତନ୍ତ୍ର ପୋଷାକ ମଧ୍ୟ ଯୋଗାଇ ଦିଆଯାଉଥିଲା ।

ରାତି ୧୨ଟା ଯାଏ ବାର୍‌ ଖୋଲିବାକୁ ଅନୁମତି ରହିଥିବା ବେଳେ ସାଢ଼େ ୧ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ‘ହୁଡ୍‌ଦଙ୍ଗ’ ବାର୍‌ । ବିଶେଷ ଭାବେ ବୁଧବାର, ଶନିବାର ଓ ରବିବାର ବାର୍‌ରେ ଖଚାଖଚ୍‌ ଭିଡ଼ ଜମୁଥିଲା । ନିଶାସକ୍ତ ଯୁବକଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଅନେକ ସମୟରେ ବାଡ଼ିଆପିଟା ହେଉଥିଲା । କାହାର ମୁଣ୍ଡ ଫାଟୁଥିଲା ତ ଆଉ କାହାର ହାତ ଭାଙ୍ଗୁଥିଲା । ବାଉନ୍ସର ରଖିବା ଲାଗି ଅନୁମତି ନ ଥିବା ବେଳେ ବାର୍‌ କର୍ତ୍ତୃପକ୍ଷ ପୁଳାପୁଳା ବାଉନ୍ସରଙ୍କୁ ନିୟୋଜିତ କରିଥିଲେ । ବାର୍‌ରେ ଝାମେଲା ଏଡ଼ାଇବାରେ ଏମାନେ ମୁଖ୍ୟ ଭୂମିକା ନେଉଥିଲେ । 

ସବୁଠାରୁ ବଡ଼ କଥା ହେଉଛି, ‘ହୁଡଦଙ୍ଗ୍‌’ ବାର୍‌ଠାରୁ ଥାନାର ଦୂରତା ମାତ୍ର ୧୦୦ ମିଟର । ତଥାପି ପୁଲିସ୍‌ ସବୁ ଜାଣି ନ ଜାଣିବାର ଅଭିନୟ କରୁଥିଲା । କେବଳ ପୁଲିସ୍‌ ନୁହେଁ, ଅବକାରୀ ବିଭାଗ ମଧ୍ୟ ଆଖି ବୁଜି ଦେଇଥିଲା । ଅଭିଯୋଗ ପାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ଅବକାରୀ ଅଧିକାରୀ । ଅନୁମତି ନ ଥାଇ ଡ୍ୟାନ୍ସ ବାର୍‌ ଚାଲିବା, ରାତି ୧୨ଟା ପରେ ବାର୍‌ ଖୋଲା ରହିବା ଏବଂ ପୁଅ-ଝିଅ ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ରହିବା ସମ୍ପର୍କରେ ବିଭାଗୀୟ ଅଧିକାରୀ ଅବଗତ ଥାଇ ମଧ୍ୟ ଚାପରେ ଚୁପ୍‌ ବସିଥିଲେ ବୋଲି ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି । 

ଗତମାସରେ ସଂଘଠିତ ନାବାଳିକା ଗଣବଳାତ୍କାର ଘଟଣା ପରେ ‘ହୁଡଦଙ୍ଗ୍‌’ ବାର୍‌ ଚର୍ଚ୍ଚାକୁ ଆସିଥିଲା । ସମ୍ପୃକ୍ତା ନାବାଳିକାଙ୍କୁ ଦୁଇ ପର୍ଯ୍ୟାୟରେ ପ୍ରଥମେ ସେନ୍‌ସୋରି ପାର୍କ ଓ ପରେ ଷ୍ଟେସନ ରୋଡ୍‌ ନିକଟରେ ଗଣବଳାତ୍କାର କରାଯାଇଥିଲା । ଏହି ଘଟଣାରେ ପୀଡ଼ିତାଙ୍କ ଦୁଇ ପୁରୁଷ ବନ୍ଧୁ, ସେମାନଙ୍କ ୪ ଜଣ ସହଯୋଗୀ ଏବଂ ଜଣେ ନାବାଳକ ଧରାପଡ଼ିଛନ୍ତି । ଅବକାରୀ ଅଧୀକ୍ଷକ ଶେଖ୍‌ ଆସଫ୍‌ ଅଲ୍ଲୀ କହିଛନ୍ତି, ରାଉରକେଲା ଅବକାରୀ ଜିଲ୍ଲା ଅଧୀନରେ ସହରରେ ମୋଟ ୧୯ଟି ସ୍ୱୀକୃତିପ୍ରାପ୍ତ ବାର୍‌ ରହିଛି । ବାର୍‌ରେ ନାବାଳକ-ନାବାଳିକାଙ୍କୁ ମଦ ପିଇବାକୁ ଅନୁମତି ନାହିଁ । କେବଳ ରେଷ୍ଟୁରାଣ୍ଟରେ ବସି ସେମାନେ ଖିଆପିଆ କରିପାରିବେ । କମ୍‌ ବୟସର ପିଅ-ଝିଅ ବାର୍‌କୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ପରିଚୟପତ୍ର ଯାଞ୍ଚ କରାଯିବର ନିୟମ ରହିଛି । କିନ୍ତୁ ବାର୍‌ ମାଲିକମାନେ ତାହା କରୁନାହାନ୍ତି । ନିୟମ ଖିଲାପ କରିବା ଅଭିଯୋଗରେ ସିଭିଲ ଟାଉନସିପ୍‌ସ୍ଥିତ ‘ହୁଡ୍‌ଦଙ୍ଗ୍‌’ ବାର୍‌କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ୍‌ କରାଯାଉଛି । ଲାଇସେନ୍ସଧାରୀଙ୍କ ବିରୋଧରେ ଏସ୍‌ଆଇଆର ବଳରେ ମାମଲା ରୁଜୁ କରଯାଇ କୈଫିୟତ୍‌ ମଗାଯାଇଛି ।