ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଜଣେ ମହିଳାଙ୍କୁ ପାର୍ଶଲରେ ମିଳିଛି ମଣିଷ ଦେହାବଶେଷ। ଶୁକ୍ରବାର ମହିଳାଙ୍କ ଘରକୁ ଏକ ପାର୍ଶଲ ଆସି ପହଞ୍ଚିଥିଲା। ପାର୍ଶଲରେ ବୈଦ୍ୟୁତିକ ଉପକରଣ ଥିବା ଭାବି ମହିଳା ଜଣଙ୍କ ଉକ୍ତ ପାର୍ଶଲ ଖୋଲିଥିଲେ। ତେବେ ପାର୍ଶଲରେ ବୈଦ୍ୟୁତିକ ଉପକରଣ ପରିବର୍ତ୍ତେ ମଣିଷ ଦେହାବଶେଷ ରହିଥିବା ସେ ଦେଖିବାକୁ ପାଇଥିଲେ। ଏହି ଘଟଣାଟି ଆନ୍ଧ୍ରପ୍ରଦେସର ପଶ୍ଚିମଗୋଦାବରି ଜିଲ୍ଲାରେ ଘଟିଥିବା ନେଇ ସୁଚନା ମିଳିଛି।
ଉନ୍ଦି ମଣ୍ଡଳ ଜିଲ୍ଲାର ୟେନ୍ଦାଗଣ୍ଡି ଗାଁର ସାଗି ତୁଲାସୀ ନାମକ ଏହି ମହିଳା ଜଣକ ତାଙ୍କ ନିର୍ମାଣାଧୀନ ଘର ପାଇଁ କ୍ଷତ୍ରିୟ ସେବା ସମିତିର ସାମଗ୍ରୀକୁ ଅପେକ୍ଷା କରିଥିଲେ। ଏହି ସଂଗଠନ ପୂର୍ବରୁ ଉକ୍ତ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ତାଙ୍କ ଗୃହ ନିର୍ମାଣ ପାଇଁ ଟାଇଲ୍ ମଧ୍ୟ ଯୋଗାଇ ଦେଇଥିଲା। ତେବେ ତାଙ୍କ ଘରେ ଶୁକ୍ରବାର ଦିନ ଅନ୍ୟ ଏକ ପାର୍ସଲ ଆସି ପହଞ୍ଚିଥିଲା। ଏଣୁ ଏଥର ମଧ୍ୟ ସେହି ସଂଗଠନରୁ ବୈଦ୍ୟୁତିକ ସାମଗ୍ରୀ ଆସିଥିବ ବୋଲି ତୁଳସୀ ଭାବିନେଇଥିଲେ। ଏହି ପାର୍ଶଲ ଖୋଲିବା ପରେ ଏଥିରୁ ମଣିଷର ଦେହାବଶେଷ ସହ ୧.୩ କୋଟି ଟଙ୍କା ମାଗିଥିବା ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଯଦି ଦାବି ମୁତାବକ ଆର୍ଥିକ ରାଶି ପ୍ରଦାନ କରାନଯାଏ ତେବେ ପରିଣାମ ଭୟଙ୍କର ହେବ ବୋଲି ଚିଠିରେ ଲେଖା ରହିଥିଲା।
ଏହି ଅଜଣା ପାର୍ଶଲ ଖୋଲିବା ପରେ ତୁଳସୀ ଓ ତାଙ୍କ ପରିବାର ଭୟଭୀତ ହୋଇଯାଇଥିଲେ। ପରେ ପୋଲିସକୁ ଫୋନକରି ସବୁ କଥା ଜଣେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାର୍ଶଲକୁ ଯାଞ୍ଚ କରିଥିଲା। ପାର୍ଶଲରେ ରହିଥିବା ଦେହାବଶେଷ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ବୋଲି ପୋଲିସ ସ୍ପଷ୍ଟ କରିଥିଲା। ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ହୋଇଥିଲା ବୋଲି ଜଣାପଡିଛି। ପୋଲିସ ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
ପଶ୍ଚିମ ଗୋଦାବରିର ଏସପି ଅଦନନ୍ ନଇମ ଆସ୍ମୀ ଘଟଣାସ୍ଥଳକୁ ଆସି ଏହି ଘଟଣାର ତଦନ୍ତ କରିଥିଲେ। ତେବେ ମୃତ ବ୍ୟାକ୍ତିଙ୍କ ପରିଚୟ ପାଇଁ ପୋଲିସ ନିକଟରେ ହୋଇଥିବା ସମସ୍ତ ନିରୁଦ୍ଧିଷ୍ଟ ମାମଲାର ଯାଞ୍ଚ କରୁଛି। ଅନ୍ୟପଟେ ଏହି ଘଟଣାର ଯାଞ୍ଚ ପାଇଁ ପୋଲିସ କ୍ଷତ୍ରିୟ ସେବା ସମିତି ସଂଗଠନକୁ ସମନ ଜାରି କରିଛି।