ନୂଆଦିଲ୍ଲୀ ୧୦/୦୨: ଚୀନ୍ବାସୀଙ୍କ ଦୈନନ୍ଦିନ ଜୀବନରେ ଟେକ୍ନୋଲୋଜି ଓ ଏଆଇର ଦଖଲ କେତେ ବଢ଼ିଛି, ସଦ୍ୟ ଖବର ତା’ର ଉଦାହରଣ । ଚୀନ୍ର ଶାଓଲିନ୍ ମନ୍ଦିରର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମନ୍ଦିର ପରିସରରେ ବୌଦ୍ଧ ଭିକ୍ଷୁଙ୍କ ସହ କୁଙ୍ଗ୍-ଫୁ ଅଭ୍ୟାସ କରୁଥିବା ମାନବ ରୋବୋଙ୍କୁ ଦେଖିବାକୁ ମିଳିଛି । ଏଥିରେ ଭିକ୍ଷୁଙ୍କ ସହ ରୋବୋ ପୂରାପୂରି ସମାନ ମୁଦ୍ରା ପ୍ରଦର୍ଶନ କରୁଛନ୍ତି । ସେମାନେ କେବଳ ଭିକ୍ଷୁଙ୍କ ହାତ-ଗୋଡ଼ର ପାରମ୍ପରିକ ସ୍ଥିତିକୁ ନକଲ କରୁନାହାନ୍ତି, ମାର୍ଶଲ ଆର୍ଟ ମଧ୍ୟ କରୁଛନ୍ତି । ଶଂଘାଈ ସ୍ଥିତ ଏଜିବୋଟ୍ ନାମକ କମ୍ପାନି ଏହି ରୋବୋ ପ୍ରସ୍ତୁତ କରିଛି । ବାସ୍ତବ ଜୀବନର ଜଟିଳ କାମ କରିପାରୁଥିବା ରୋବୋ କମ୍ପାନି ନିର୍ମାଣ କରେ ।
ଆହୁରି ପଢ଼ନ୍ତୁ...ଚୀନ୍ ଚାଷୀଙ୍କ ଅଜବ କାରନାମା, ଡ୍ରୋନ୍ରେ କରୁଥିଲେ ଘୁଷୁରୀ ପରିବହନ, ୧୦ ଘଣ୍ଟା ଅନ୍ଧାରରେ ରହିଲା ପୂରା ଗାଁ…
ରିପୋର୍ଟ ଅନୁସାରେ, ଏହି ରୋବୋ ଚତୁଃପାଶ୍ୱର୍ର ପରିବେଶକୁ ବୁଝିବା, ତା’ର ଗଣନା ଏବଂ ସେହି ଅନୁସାରେ ଶାରୀରିକ ଗତିବିଧି କରିବାରେ ସକ୍ଷମ । ପରିବେଶକୁ ନାଭିଗେଟ୍ କରିବା, ସେନ୍ସର ଇନ୍ପୁଟ୍କୁ ବୁଝିବା ଏବଂ ମଣିଷର ଶାରୀରିକ କାର୍ଯ୍ୟକଳାପକୁ ନକଲ କରିବା ପାଇଁ ଏମାନଙ୍କୁ ଡିଜାଇନ୍ କରାଯାଇଛି । ୟୁଜର୍ ପ୍ରଥମେ ଏହାକୁ ଏଆଇ ଭିଡିଓ ବୋଲି ଭାବିଲେ । କିନ୍ତୁ ସତ ଜାଣିବା ପରେ ଏଆଇ ଓ ରୋବୋର ସମନ୍ୱୟ ମଣିଷକୁ ପଛରେ ପକାଇବ ବୋଲି ଆଶଙ୍କା କରୁଛନ୍ତି ।