କଟକ,୧୪/୦୧: କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗର ରହସ୍ୟ ଫିଟାଇବା ପାଇଁ ମର୍କତନଗର ଥାନାରେ ରୁଜୁ ମାମଲାରେ ପୁଲିସ ଅଭିଯୁକ୍ତ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କୁ ପଚରାଉଚରା କରିଛନ୍ତି । ସେହିପରି ମାମଲା ସମ୍ପର୍କିତ ସମସ୍ତ ମେଡ଼ିକାଲ୍ କାଗଜପତ୍ର ଓ ବ୍ୟାଙ୍କ୍ ତଥ୍ୟ ମଧ୍ୟ ପୁଲିସ ମଗାଇଛି । ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଥିବା କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସଂଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି।
ଗତ ନଭେମ୍ବର ମାସ ୧୭ ରାତିରେ ହ୍ୟୁମାନ ସାଗରଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୧ ରେ ମର୍କତନଗର ଥାନାରେ ତାଙ୍କ ମା’ ଶୋଫାଳି ସୁନା ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଦୁଇଟି ଦିଗରେ ତଦନ୍ତ କରୁଥିବା ଜୋନ୍ ଏସିପି ଅନନ୍ୟା ଅଗସ୍ତ୍ୟ ସୂଚନା ଦେଇଛନ୍ତି । ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା ଓ ଏଥିପାଇଁ କିଏ ଦାୟୀ । ଅନ୍ୟଟି ହେଉଛି ହ୍ୟୁମାନଙ୍କ ଆର୍ଥିକ କାରବାର । ଏହି ଦୁଇ ତଦନ୍ତ ପାଇଁ ବିଭିନ୍ନ ଏଜେନ୍ସିଠାରୁ ତଥ୍ୟ ମଗାଯାଇଛି । ମୃତ୍ୟୁର କାରଣ ଜାଣିବା ପାଇଁ ସମସ୍ତ ପ୍ରକାର ମେଡ଼ିକାଲ୍ କାଗଜପତ୍ର ଓ ଆର୍ôଥକ କାରବାର ପାଇଁ ବ୍ୟାଙ୍କ ଓ ଫାଇନାନ୍ସ ସଂସ୍ଥାଠାରୁ ଷ୍ଟେଟ୍ମେଣ୍ଟ୍ ମଗାଯାଇଥିବା ଏସିପି ଶ୍ରୀମତୀ ଅଗସ୍ତ୍ୟ ସୂଚନା ଦେଇଛନ୍ତି । ଯେଉଁମାନଙ୍କର ଏତଲାରେ ନାଁ ଅଛି ସେମାନଙ୍କୁ ପଚରାଉଚରା କରାଯିବ ବୋଲି ଏସିପି କହିଛନ୍ତି ।