କଟକ, ୨୬/୧୧ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା। ପ୍ରମୁଖ ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ସେବାରେ ଅବହେଳା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଏତଲାରେ କଣ୍ଠଶିଳ୍ପୀ ଅର୍ପିତା, ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ନାଁ ଉଲ୍ଲେଖ କରାଯାଇଛି । ହ୍ୟୁମାନ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ କରିଛନ୍ତି ଯେ, ହ୍ୟୁମାନ ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଛି। ମ୍ୟାନେଜର ଓ ଟିମ୍ ବ୍ୟକ୍ତିଗତ ସ୍ଵାର୍ଥ ହାସଲ କରିଛନ୍ତି।
ସେପଟେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସମ୍ପାଦିକା ଆଇନଜୀବୀ ପଦ୍ମାଳୟା ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କିମ୍ୱା କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ଦାବି କରିଛନ୍ତି । ଜନସାଧାରଣ ଉଦ୍ଦେଶ୍ୟରେ ଏକ ସ୍ୱଚ୍ଛ ରିପୋର୍ଟ ଉପସ୍ଥାପିତ କରାଯାଉ ବୋଲି ଆଇନଜୀବୀ କହିଛନ୍ତି। ଅପର ପକ୍ଷରେ ବଲାଙ୍ଗିର ଖ୍ରୀଷ୍ଟିଆନ ସୋସାଇଟି ଓ ତାଙ୍କ ପରିବାର ସଦସ୍ୟ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ସାଧାରଣ ମୃତ୍ୟୁ ନୁହେଁ । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଏହାର ଉପଯୁକ୍ତ ତଦନ୍ତ ହେଉ ନଚେତ୍ ଆଗକୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।