ଖୁଣ୍ଟା,୦୭/୦୯: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ନିକଟରୁ ଖୁଣ୍ଟା ପୁଲିସ ଏକ ନର କଙ୍କାଳ ଠାବ କରିଛି । ବ୍ୟକ୍ତି ଜଣକ ଖୁଣ୍ଟା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣାସାହି ପଞ୍ଚାୟତ ମାହାଲିବସା ଗ୍ରାମର ଟେମ୍ପା ମାଙ୍କିଡିଆ (୫୨) ବୋଲି ଜଣାପଡ଼ିଛି । ସେ ଗତ ଦୁଇ ମାସ ତଳେ ଅର୍ଥାତ୍ ଜୁଲାଇ ୧ ତାରିଖରୁ ନିଖୋଜ ଥିଲେ । ଘର ଲୋକ ଖୋଜାଖୋଜି କରି ନପାଇବାରୁ ଜୁଲାଇ ୩ ତାରିଖ ଦିନ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଶୁକ୍ରବାର ମାହାଲିବସା ଗ୍ରାମର କିଛି ମାଙ୍କିଡିଆ ସମ୍ପ୍ରଦାୟର ଲୋକ ଅଭୟାରଣ୍ୟ ନିକଟକୁ ଶାଳପତ୍ର ଓ ଦାନ୍ତ କାଠି ସଂଗ୍ରହ କରିବାକୁ ଯାଇଥିବା ବେଳେ ନର କଙ୍କାଳ ପଡ଼ିଥିବା ଦେଖିଥିଲେ । ପାଖରେ ଏକ ସାର୍ଟ ଓ ଗାମୁଛା ଦେଖି ଜାଣିବାକୁ ପାଇଥିଲେ କି ଦୁଇ ମାସ ପୂର୍ବେ ନିଖୋଜ ଥିବା ସେହି ଗ୍ରାମର ଟେମ୍ପା ମାଙ୍କିଡିଆ ବୋଲି ଅନୁମାନ କରି ଘରକୁ ଫେରି ଗ୍ରାମର ତଥା ଲକ୍ଷ୍ମଣାସାହି ପଞ୍ଚାୟତର ସମିତି ସଭ୍ୟ ସୁନିଲ କୁମାର ଟୁଡୁଙ୍କୁ ନର କଙ୍କାଳ ବାବଦରେ ଜଣାଇଥିଲେ । ପରେ ଶ୍ରୀ ଟୁଡୁ ଘଟଣା ବାବଦରେ ଖୁଣ୍ଟା ପୁଲିସକୁ ସୂଚନା ଦେବାପରେ ଆଜି ଖୁଣ୍ଟା ପୁଲିସ ଗ୍ରାମବାସୀଙ୍କ ସହଯୋଗରେ ସାଇଣ୍ଟିଫିକ୍ ଟିମଙ୍କ ସହ ଅଭୟାରଣ୍ୟ ନିକଟରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହ ଖୁଣ୍ଟା ପୁଲିସ ନର କଙ୍କାଳକୁ ଠାବକରି ବାରିପଦା ପିଆର୍ଏମ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି । ତେବେ ନିଖୋଜ ଥିବା ବ୍ୟକ୍ତିଙ୍କ ନର କଙ୍କାଳ ଅଭୟାରଣ୍ୟ ମଧ୍ୟରୁ ମିଳିବା ସମସ୍ତଙ୍କୁ ଚକିତ କରିଥିବା ବେଳେ ସେ ଅଭୟାରଣ୍ୟ ନିକଟକୁ କାହା ସହିତ ଯାଇଥିଲେ । ଏବଂ ମୃତ୍ୟୁ କିପରି ହେଲା ତାହା ତଦନ୍ତ ପରେ ଜଣାପଡ଼ିବ