ନୂଆଦିଲ୍ଲୀ : ଚାଲିଛି ମତଗଣନା । ବଙ୍ଗେର ବିଜେପିର ଲହର ଚାଲିଛି । ବାବ୍ରି ମସଜିଦ୍ ପୁନଃନିର୍ମାଣ କଥା ଉଠାଇଥିବା ହୁମାୟୁ କବୀର ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କ ସ୍ଥିତି କେମିତି ଅଛି ଏ ସମ୍ପର୍କରେ ଜାଣିବା ପାଇଁ ପ୍ରାୟ ସମସ୍ତେ ଇଛା ପ୍ରକାଶ କରିଛନ୍ତି । ହୁମାୟୁ ଶେଷ ଖବର ସୁଦ୍ଧା ଦୁଇଟି ଯାକ ଆସନରେ ଦୃଢ଼ ସ୍ଥିତିରେ ରହିଛନ୍ତି । ଦୁଇଟି ଯାକ ଆସନରେ ସେ ଳିଡ୍ କରୁଛନ୍ତି । ତାଙ୍କ ସପକ୍ଷରେ ବହୁମତ ପ୍ରକାଶ ପାଇଛି ।

ଟିଏମସିର ପୂର୍ବତନ ନେତାଥିଲେ ହୁମାୟୁ । ସେ ନିର୍ବାଚନ ପୂର୍ବରୁ ବାବ୍ରି ମସଜିଦ ନିର୍ମାଣ ପାଇଁ ଘୋଷଣା କରିଥିଲେ । ଯାହାକୁ ନେଇ ଅେନକ ରାଜନୈତିକ ତର୍କ ହେବା ସହ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଥିଲା । ବାବ୍ରି ମସଜିଦ ଭାଙ୍ଗିବା ବାର୍ଷିକୀ ଅବସରରେ ସେ ବାବ୍ରି ମସଜିଦର ମୂଳଦୁଆ ପକାଇଥିଲେ । ଡିସେମ୍ବର ୬ ତାରିଖରେ ୨୦୨୫ ମସିହାରେ ମୂଳଦୁଆ ପକାଇଥିଲେ । ରାଜ୍ୟରେ ଧାର୍ମିକ ଭାବନା ଉପରେ କୁଠାରଘାତ ହୋଇଥିବା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହାକୁ ନେଇ ବହୁ ପ୍ରତିବାଦ ହେବା ପରେ ଟିଏମସି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ସେତେବେଳେ ସେ ଭରତପୁରର ବିଧାୟକ ଥିଲେ ।

ଟିଏମସିରୁ ନିଲମ୍ବିତ ହେବା ପରେ ସେ ଏକ ଦଳ ଗଠନ କରିଥିଲେ । ଆମ ଜନତା ଉନ୍ନୟନ ପାର୍ଟି ଗଠନ କରିଛନ୍ତି । ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରିଛନ୍ତି । ରାଜନଗର ଏବଂ ନୌଡ଼ାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି । ଦୁଇଟି ଯାକ ଆସନରେ ସେ ଦୃଢ଼ ସ୍ଥିତିରେ ରହିଛନ୍ତି । ରାଜନଗର ଆସନରେ ସପ୍ତ ରାଉଣ୍ଡ ଗଣତି ସୁଦ୍ଧା ସେ ବିଜେପି ପ୍ରାର୍ଥୀଙ୍କଠାରୁ ୩୭ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ଏହାସହ ନୌଡ଼ାରେ ସେ ୧୯ ହଜାରରୁ ଅଧିକ ଆସନରେ ଆଗୁଆ ରହିଛନ୍ତି । ତେବେ ଏହାକୁ ନେଇ ସେ କହିଛନ୍ତି କି, ମୁଁ ଦୁଇଟି ଯାକ ଆସନରେ ବିଜୟୀ ହେବି ।

ସେପଟେ ବଙ୍ଗରେ ମମତାଙ୍କ ସରକାର ଯାଉଥିବାବେଳେ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି, ବଙ୍ଗର ଲୋକେ ଟିଏମସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ କହିଛନ୍ତି କି, ମମତା ରାଜ୍ୟକୁ ଲୁଣ୍ଠନ କରିଛନ୍ତି । ମୁଁ ଆଉ କଣ ବା କହିପାରିବି । ଯାହା ହୋଇଛି ଭଲ ହୋଇଛି । ମମତା ତାଙ୍କ ପୁତୁରାଙ୍କୁ ଦାୟିତ୍ବ ଦେଇଥିଲେ । ସେ ରାଜସ୍ବକୁ ଲଉଣ୍ଠନ କରୁଥିଲେ । ସେ ୧୫ ବର୍ଷର ଶାସନରେ ଇଂରେଜଙ୍କଠାରୁ ଅଧିକ ଲୁଣ୍ଠନ କରିଛନ୍ତି । ଏବେ ଜନତା ଏହାର ଉତ୍ତର ଦେଇଛନ୍ତି । ସେପଟେ ବାବ୍ରି ମସଜିଦକୁ ନେଇ ସେ ପ୍ରକାଶ କରିଛନ୍ତି କି, ୨ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ । ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ମୁସଲମାନଙ୍କଠାରୁ ସଂଗୃହିତ ଟଙ୍କାରେ ଏହି ମସଜିଦ ନିର୍ମାଣ କରାଯିବ ।