ବଇଣ୍ଡା,୨୮/୦୨: ଏକବିଂଶ  ଶତାବ୍ଦୀରେ ବି କଠୋର ଜାତିପ୍ରଥା । ବାସନ୍ଦ କଟକଣାରୁ ମରିଗଲା ମାନବିକତା । ଭିନ୍ନ ଜାତିରେ ବିବାହ କରିବାରୁ ଜିଇଁଥିବା ବେଳେ ପରିବାର କି ଶ୍ୱଶୁର ଘର ଲୋକ ମୁହଁକୁ ତ ଚାହୁଁ ନ ଥିଲେ ଗୁରୁବାର ଅକାଳ  ମୃତ୍ୟୁ ପରେ ଶବକୁ କାନ୍ଧଦେବାକୁ ବି  ଆସିଲେନି । ବିଧବା ପତ୍ନୀ ନାବାଳିକା ଝିଅ ସହ ଖଟରେ ବୋହି ସ୍ୱାମୀଙ୍କ ମରଶରୀର ମଶାଣିକୁ ନେବା ଘଟଣା ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍‌ ବଇଣ୍ଡା ଅଞ୍ଚଳରେ  ଆଲୋଡ଼ନ ଖେଳାଇ ଦେଇଛି ।  

ସ୍ଥାନୀୟ ପୁଲିସ୍‌, ବ୍ଲକ୍‌ କି ତହସିଲ୍‌  ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ  ଏ ଦିଗରେ କୌଣସି ସହାୟତା ମିଳି ନ  ଥିଲା । ପରନ୍ତୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କ  ପକ୍ଷରୁ ଶବଦାହ ପାଇଁ କାଠ ଓ ଅନ୍ୟାନ୍ୟ  ସାମଗ୍ରୀ ଯୋଗାଇ ଦିଆଯିବାରୁ ଘରପାଖ  ଶ୍ମଶାନରେ ଯୁବକଙ୍କ ଅନ୍ତ୍ୟେଷ୍ଟି କ୍ରିୟା  ସମ୍ପନ୍ନ ହୋଇଛି । 

ସୂଚନା ଅନୁଯାୟୀ,  ଆଠମଲ୍ଲିକ ଥାନା ପେଣ୍ଡରାବସା ଗ୍ରାମର  ପ୍ରକାଶ ପ୍ରଧାନ(୪୫) ୧୫ ବର୍ଷ ତଳେ  ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ୱାଳଙ୍କୁ ପ୍ରେମ ବିବାହ  କରିଥିଲେ । ଦୁହେଁ ଭିନ୍ନ ଜାତିର । ପାଲା  ଗାୟକଙ୍କ ସହଯୋଗୀ ଭାବରେ ଉଭୟ  କାମ କରୁଥିଲେ। ହେଲେ ବିବାହ ପରଠାରୁ  ପ୍ରକାଶ ଓ ରୀତାଙ୍କ ପରିବାର ଦମ୍ପତିଙ୍କୁ  ଗ୍ରହଣ କରିପାରିନଥିଲେ । ଉଭୟଙ୍କ  ଜାତି ଅଲଗା ହୋଇଥିବାରୁ ସମାଜର  କଟକଣାକୁ ଡରି ପ୍ରକାଶ ଓ ରୀତାଙ୍କ  ପରିବାର ଲୋକେ ସେମାନଙ୍କଠାରୁ ଦୂରେଇ  ଯାଇଥିଲେ । ଶରଧାମୁଣ୍ଡାଠାରେ ଘରଟିଏ ତୋଳି ପ୍ରକାଶ ମୁଣ୍ଡ ଗୁଞ୍ଜିଥିଲେ । ଉଭୟଙ୍କ  ଦୁଇ ଝିଅ ଓ ଏକ ପୁଅ ଥିବା ବେଳେ ୫  ବର୍ଷ ତଳେ ସତେ ଯେମିତି ପରିବାରରେ  ଚଡ଼କ ପଡ଼ିଥିଲା । କିଡ୍‌ନୀ ରୋଗରେ  ପଡ଼ିଲେ ପ୍ରକାଶ । ଗୁରୁବାର ସକାଳେ ଆଖି  ବୁଜିଥିଲେ । ପ୍ରକାଶଙ୍କ ମୃତ୍ୟୁ ସମ୍ପର୍କରେ  ରୀତା ତାଙ୍କ ଶଶୁର ଘର ଓ ବାପ ଘର  ଲୋକଙ୍କୁ ସୂଚନା ଦେଇଥିଲେ । ଉଭୟଙ୍କ  ପରିବାର ଆସି ଦୂରରୁ ଶବ ଦେଖି ପଳାଇ  ଯାଇଥିଲେ । ବଇଣ୍ଡା ଗ୍ରାମର କିଛି ଯୁବକ  ପହଞ୍ଚି ଶବଦାହ କରିବା ପାଇଁ କାଠ ସହ  ଅନ୍ୟାନ ସାମଗ୍ରୀ ଯୋଗାଇ ଦେଇଥିଲେ ।  ଅସହାୟ ରୀତା ଓ ତାଙ୍କ ଝିଅ ପ୍ରକାଶଙ୍କର  ମୃତଦେହ ଖଟିଆରେ ବୋହି ଶ୍ମଶାନକୁ  ନେଇଥିଲେ । ପୁଅ ମୁଖାଗ୍ନି ଦେଇଥିଲେ ।