ନୂଆଦିଲ୍ଲୀ ୦୫/୦୧: ଦକ୍ଷିଣ କୋରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ତାଙ୍କ ପତିଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଯକୃତର କିଛି ଅଂଶ ଦାନ କରିବାକୁ ମନା କରିବାରୁ ବ୍ୟକ୍ତିଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିକଟରେ ମାମଲାର ବିଚାର କରି କୋର୍ଟ ଅଙ୍ଗଦାନ ସ୍ୱେଚ୍ଛାକୃତ ନିଷ୍ପତ୍ତି ହୋଇଥିବା ଦର୍ଶାଇ ମହିଳାଙ୍କ ପକ୍ଷ ନେଇଛନ୍ତି ।

ମାମଲାଟି ଏହିପରି । ସେଠାକାର ଏକ ଯୁବ ଦମ୍ପତି ୫ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ଦୁଇଜଣ ସନ୍ତାନ ଅଛନ୍ତି । ତେବେ ଗତବର୍ଷ ଶେଷଆଡ଼କୁ ବ୍ୟକ୍ତିଜଣଙ୍କୁ ଏକ ବିରଳ ଯକୃତ ରୋଗ ହୋଇଥିବା ଜଣାପଡି଼ବା ପରେ ଦମ୍ପତିଙ୍କ ଜୀବନ ସଂପୂର୍ଣ୍ଣ ଓଲଟପାଲଟ ହୋଇଗଲା । ଯକୃତ ପ୍ରତିରୋପଣ ବିନା ବ୍ୟକ୍ତିଜଣକ ଅତିବେଶୀରେ ମାତ୍ର ବର୍ଷେ ବଞ୍ଚିବେ ବୋଲି ଡାକ୍ତର କହିଲେ । ଏହାପରେ ପ୍ରତିରୋପଣ ଲାଗି ଉଦ୍ଦିଷ୍ଟ ସରକାରୀ ତାଲିକାରେ ବ୍ୟକ୍ତିଙ୍କ ନାମକୁ ସ୍ଥାନିତ କରାଗଲା । ଇତିମଧ୍ୟରେ ତାଙ୍କ ପତ୍ନୀ ଜଣେ ଉପଯୁକ୍ତ ଡୋନର୍ ହୋଇପାରିବେ ବୋଲି ମେଡିକାଲ୍ ପରୀକ୍ଷାରୁ ଜଣାପଡି଼ଲା । ଏକଥା ଶୁଣି ସେ ଆଶ୍ୱସ୍ତିର ନିଃଶ୍ୱାସ ମାରିଲେ । ତେବେ ପତ୍ନୀ କିନ୍ତୁ ତାଙ୍କୁ ଯକୃତ ଦାନ କରିବାକୁ ବିଲକୁଲ୍ ରାଜି ହେଲେ ନାହିଁ । ଧାରୁଆ ଅସ୍ତ୍ରକୁ ଡରୁଥିବାରୁ ଅସ୍ତ୍ରୋପଚାର ମାଧ୍ୟମରେ ସ୍ୱାମୀଙ୍କୁ ତାଙ୍କ ଯକୃତର କିଛି ଅଂଶ ଦେବାକୁ ମହିଳା ସ୍ପଷ୍ଟ ମନା କଲେ । ଏପରିକି ତାଙ୍କୁ ବୁଝାଇବା ଲାଗି ପରିବାରର ସମସ୍ତ ଉଦ୍ୟମ ଫେଲ୍ ମାରିଲା । ଶେଷରେ ଜଣେ ବ୍ରେନ୍ ଡେଡ୍ ରୋଗୀଙ୍କ ସନ୍ଧାନ ମିଳିଲା । ତାଙ୍କର ଯକୃତକୁ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଗଲା ।

କାହାଣୀ କିନ୍ତୁ ଏହିଠାରେ ସରିଲା ନାହିଁ । ସୁସ୍ଥ ହେବା ପରେ ବ୍ୟକ୍ତିଜଣକ ତାଙ୍କ ପତ୍ନୀଙ୍କର ଧାରୁଆ ଅସ୍ତ୍ର ପ୍ରତି ଥିବା ଭୟ ନେଇ ଅନୁସନ୍ଧାନ ଆରମ୍ଭ କଲେ । ସେଥିରୁ ତାଙ୍କୁ ପତ୍ନୀଙ୍କର କେବେ ଏଭଳି ଭୟ ନଥିବା ଜଣାପଡିଲା । ରାଗିଯାଇ ପତ୍ନୀଙ୍କୁ ସେ ପ୍ରକୃତ ଘଟଣା କ’ଣ ବୋଲି ପଚାରିଲେ । ଏହାପରେ ମହିଳା କହିଲେ ଯେ, ଅସ୍ତ୍ରୋପଚାର ସମୟରେ ଯଦି ତାଙ୍କର କିଛି ହୋଇଯାଇଥାନ୍ତା ତେବେ ତାଙ୍କ ପିଲାମାନେ ମା’କୁ ବି ହରାଇଥାନ୍ତେ । ସେହି ଭୟରେ ସେ ଯକୃତ ଦେବାକୁ ମନା କରିଥିଲେ । ଏହି ଉତ୍ତର କିନ୍ତୁ ତାଙ୍କ ସ୍ୱାମୀଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେ ମହିଳାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ । ନିକଟରେ ମାମଲାର ଶୁଣାଣି ସମୟରେ କୋର୍ଟ ମହିଳାଙ୍କ ପକ୍ଷ ନେଇଛନ୍ତି । ଏହି ସମୟରେ କୋର୍ଟ କହିଛନ୍ତି, ଅଙ୍ଗଦାନ ହେଉଛି ବ୍ୟକ୍ତିଗତ ଇଚ୍ଛାର କଥା । ଏଥିଲାଗି କାହାକୁ ବାଧ୍ୟ କରାଯାଇପାରିବ ନାହିଁ । କୋର୍ଟଙ୍କ ଏହି ରାୟ ପରେ ଦମ୍ପତି ଛାଡ଼ପତ୍ର ଲାଗି ସହମତ ହୋଇଛନ୍ତି ।