ବଡ଼ଗାଁ,୧୯/୦୪: ଦାଦନ ଯାଇ ନିଖୋଜ ହୋଇଗଲେ । ପରିବାର ସଦସ୍ୟ ଭାବିଲେ ମରିଯାଇଛନ୍ତି ।  ଶୁଦ୍ଧି ହୋଇଗଲେ । ମଥାରୁ ସିନ୍ଦୂର ପୋଛିଦେଲେ ସ୍ତ୍ରୀ । ହେଲେ ଯେଉଁ ମଣିଷକୁ ମୃତ ବୋଲି ଭାବିଥିଲେ  ସେ ଘରକୁ ବାହୁଡ଼ିଛନ୍ତି । ତାହା ପୁଣି  ଦୀର୍ଘ ୧୫ ବର୍ଷ ପରେ । ନିଖୋଜ  ଶ୍ରୀକର ଖଡ଼ିଆଙ୍କ ଘରବାହୁଡ଼ାରେ  ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ବୀରପାଲିରେ ଖେଳିଯାଇଛି ଖୁସିର  ଲହରି । ଦୀର୍ଘ ବର୍ଷ ପରେ ପୁଅକୁ ପାଇ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଥିବାବେଳେ ଶ୍ରୀକରଙ୍କ ସ୍ତ୍ରୀ ପୁଣି ସଧବା ସାଜିଛନ୍ତି ।  

ଅଧିକ ରୋଜଗାର ଆଶାରେ ୨୦୧୦ରେ  ଶ୍ରୀକର ଗାଁର କେତେଜଣ ଯୁବକଙ୍କ  ସହ ଗୋଆ ଯାଇଥିଲେ । ସମୁଦ୍ରରେ  ମାଛଧରା କାର୍ଯ୍ୟରେ ନିୟୋଜିତ ଥିଲେ ।  ଯିବାର ୨ବର୍ଷ ପର୍ଯ୍ୟନ୍ତ ପରିବାର ସହ  ଯୋଗାଯୋଗରେ ଥିଲେ । ନିୟମିତ  ଟଙ୍କା ବି ପଠାଉଥିଲେ । ହେଲେ  ହଠାତ୍‌ ସେ ନିଖୋଜ ହୋଇଗଲେ ।  ଶ୍ରୀକର ସମୁଦ୍ରରେ ବୁଡ଼ି ଯାଇଥିବା  ସହକର୍ମୀଙ୍କଠାରୁ ସୂଚନା ପାଇଥିଲା  ପରିବାର । ମୃତଦେହ ମିଳି ନ ଥିବାରୁ  ପରିବାର ଲୋକେ କିଛି ବର୍ଷ ଅପେକ୍ଷା  କଲେ । ହେଲେ ଶ୍ରୀକର ବାହୁଡ଼ିଲେନି ।  ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି  ପରିବାର ଲୋକେ ଶୁଦ୍ଧି ହୋଇଗଲେ ।  ସ୍ତ୍ରୀ ବିଧବା ସାଜିଲେ । ଏପରି କି ତାଙ୍କୁ  ବିଧବା ଭତ୍ତା ମଧ୍ୟ ମିଳୁଛି ।  

ଶ୍ରୀକର ଦୀର୍ଘ ବର୍ଷ ପରେ ଗାଁକୁ  ଫେରିଛନ୍ତି । ହେଲେ ସେ ମାତୃଭାଷା  ଭୁଲିଯାଇଛନ୍ତି । ମରାଠୀ-କୋଙ୍କଣୀ ଭାଷା  କହୁଛନ୍ତି । ନିଖୋଜ ସମୟର ଯନ୍ତ୍ରଣାମୟ  କାହାଣୀ ବଖାଣି କହିଛନ୍ତି, କଷ୍ଟ ହେବାରୁ  କାମ କରୁଥିବା ସ୍ଥାନରୁ ଅନ୍ୟତ୍ର  ଚାଲିଯାଇଥିଲେ । ଫଳରେ ପରିବାର ସହ ଯୋଗାଯୋଗ ହୋଇପାରି ନ ଥିଲା ।  ଅନ୍ୟଜଣେ ମାଲିକ ତାଙ୍କୁ ନଜରବନ୍ଦୀ  କରି ରଖି କାମ କରାଉଥିଲେ ।  ମହାରାଷ୍ଟ୍ରର ପ୍ରବୀଣ ସଦାଶିବ ସାଧୁଆ  ନାମକ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କରେ  ଆସିଥିଲେ । ତାଙ୍କ ଦୁର୍ଦ୍ଦଶା ଜାଣିବା ପରେ  ଠିକଣା ପଚାରି ବରପାଲିକୁ ଆଣିଛନ୍ତି। ଦୀର୍ଘ ୧୫ବର୍ଷ ପରେ ଶ୍ରୀକରଙ୍କ  ଘରବାହୁଡ଼ା ଚର୍ଚ୍ଚାର ବିଷୟ ସାଜିଛି ।