ଗୁଣୁପୁର, ୩୦।୩ (ଆପ୍ର): ପତ୍ନୀ ହତ୍ୟା ମାମଲାର ବିଚାର କରି ଗୁଣୁପୁର ଏଡିଜେ କୋର୍ଟ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି। ଏହାସହ କୋର୍ଟ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ସୁରେନ୍ଦ୍ର ଶବର।
ରାୟଗଡ଼ା ଜିଲ୍ଲାର ଗୁଣୁପୁର ଥାନା ଅନ୍ତର୍ଗତ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର ଗୁଣୁପୁର ସହର ଢେପ ସାହିର ସନ୍ତୋଷୀ ବାଉରୀଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ପ୍ରାୟ ୩ ଲକ୍ଷ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଦିଆଯାଇଥିଲା। କିନ୍ତୁ ବିବାହ ପରଠାରୁ ଦୁହେଁଙ୍କ ମଧ୍ୟରେ ଅଶାନ୍ତି ଲାଗିରହିଥିଲା। ଅଭିଯୋଗ ଅନୁଯାୟୀ, ସୁରେନ୍ଦ୍ର ସବୁବେଳେ ସନ୍ତୋଷୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଏହି ନିର୍ଯାତନାକୁ ନେଇ ଅନେକଥର ପରିବାର ଓ ସମ୍ପର୍କୀୟମାନେ ବୁଝାଇ ସମାଧାନ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରିନଥିଲା।
୨୦୨୪ ଏପ୍ରିଲ୍ ୧୮ ତାରିଖ ଭୋର ସମୟରେ ଏହି ପାରିବାରିକ ବିବାଦ ଭୟାବହ ରୂପ ନେଇଥିଲା। ଅଭିଯୁକ୍ତ ସୁରେନ୍ଦ୍ର ନିଜ ପତ୍ନୀ ସନ୍ତୋଷୀଙ୍କୁ ଦଉଡ଼ି ଦ୍ୱାରା ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସେ ଏହାକୁ ଆତ୍ମହତ୍ୟା ଭାବେ ପ୍ରଚାର କରି ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମୃତକଙ୍କ ମା ଝିଲ୍ଲି ବାଉରୀ ଘଟଣାସ୍ଥଳରେ ପହଞ୍ଚି ଝିଅଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ କରିଥିଲେ। ସେ ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ପରେ ପୋଲିସ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଘଟଣାଟି ହତ୍ୟା ବୋଲି ସ୍ପଷ୍ଟ ହେବା ପରେ ପୋଲିସ ସୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ମାମଲାର ବିଚାର ସମୟରେ ଅଦାଲତରେ ୧୮ ଜଣଙ୍କ ସାକ୍ଷ୍ୟ, ପ୍ରମାଣ ଓ ପରିସ୍ଥିତିକ ତଥ୍ୟକୁ ଆଧାର କରି ବିଚାରପତି ଦେବଦତ୍ତ ପଟ୍ଟନାୟକ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଥିଲେ । ଏହି ମାମଲାରେ ସରକାରୀ ପକ୍ଷରୁ ଓକିଲ ଇଶ୍ୱର ଗମାଙ୍ଗ ମକଦମାକୁ ପରିଚାଳନା କରିଥିବା ବେଳେ ପ୍ରତିପ୍ରକ୍ଷ ପକ୍ଷରୁ ଅଶୋକ କୁମାର ଧୁଳି ଯୁକ୍ତି ରଖିଥିଲେ।