ପୁରୀ,୨୩/୧୧: ମାଲିକାଣୀଙ୍କୁ ବଞ୍ଚାଇବା ଲାଗି ଜୀବନ ଦେଇଛି ପୋଷା  କୁକୁର । ଏହା ଏକ ଫିଲ୍ମର କାହାଣୀ  ଭଳି ଲାଗୁଥିଲେ ବି ସତ । ତାଳବଣିଆ  ଥାନା ଅଧୀନ ସିଦ୍ଧମହାବୀର ନୀଳଚକ୍ର  ଲେନ୍‌ରେ ଘଟିଛି ଏଭଳି ଏକ ଘଟଣା ।  କୁକୁରକୁ ଅତି ବୀଭତ୍ସ ଭାବେ ଛୁରି ଭୁସି ହତ୍ୟା କରିଛି ମାଲିକାଣୀଙ୍କ ସ୍ୱାମୀ । ମୃତ  କୁକୁର ମାଲିକାଣୀଙ୍କ ଭାଇ ଏନେଇ  ତାଳବଣିଆ ଥାନାରେ ଏତଲା ଦେଇଛନ୍ତି ।  ପୁଲିସ ମାମଲା ରୁଜୁ କରି କୁକୁରକୁ ହତ୍ୟା  କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି ।

 ଖବର ଅନୁସାରେ ସିଦ୍ଧମହାବୀର ଦାଦାବାଡ଼ି  ଅଞ୍ଚଳରେ ଜଣେ ଯୁବତୀଙ୍କ ବାପଘର ।  ସେ ଭତ ୬ ବର୍ଷ ହେବ ଏକ  କୁକୁରକୁ ପାଳିଥିଲେ। ଦେଢ଼ବର୍ଷ ତଳେ ତାଙ୍କର ବାହାଘର ହୋଇଗଲା । ଯୁବତୀଙ୍କର ବାହାଘର ହୋଇଯିବା  ପରେ ଏକାକୀ ରହି କୁକୁରଟି ଝୁରି  ଝୁରି ଅସୁସ୍ଥ ହୋଇଗଲା । ତେଣୁ  ବାଧ୍ୟ ହୋଇ ବାପଘର ଲୋକେ  ଝିଅ ପାଖରେ କୁକୁରକୁ ଛାଡ଼ି ଦେଇଥିଲେ । ବିବାହର କିଛିଦିନ ପରେ  ସିଦ୍ଧମହାବୀର ନୀଳଚକ୍ର ଲେନ୍‌ରେ  ଭଡ଼ାଘରେ ରହିଥିଲେ ଦମ୍ପତି ।  ସେମାନଙ୍କ ପାଖରେ କୁକୁର ରହୁଥିଲା । ବାହାଘରର ଅଳ୍ପଦିନ ପରେ ମହିଳାଙ୍କୁ ଯୌତୁକ ପାଇଁ ସ୍ୱାମୀ ନିର୍ଯାତନା ଦେବା  ଆରମ୍ଭ କରିଥିଲେ । ତେବେ ମାଲିକାଣୀ  କାନ୍ଦୁଥିବା ଦେଖିବାମାତ୍ରେ କୁକୁରଟି ତାଙ୍କ  ସ୍ୱାମୀଙ୍କୁ ଭୁକୁଥିଲା । ଉଭୟଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଥିଲା । ହଠାତ୍‌  ଛୁରି ଧରି ତାଙ୍କ ସ୍ୱାମୀ ମହିଳାଙ୍କୁ ଭୁସିବାକୁ  ଆସୁଥିବା ଦେଖି କୁକୁରଟି ଲମ୍ଫ ମାରିଥିଲା ।  ଏମିତିକି ସ୍ୱାମୀ ହାତରୁ ଛୁରି ଖସିପଡ଼ିଥିଲା ।  କୁକୁରଟି ମହିଳାଙ୍କ ସ୍ୱାମୀକୁ ଜୋର୍‌ରେ  ଭୁକି ଡରାଇଥିଲା । ଏତିକିରେ ସ୍ୱାମୀଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ମୋତେ ଭୁକୁଛୁ କହି ସେହି ଛୁରିରେ କୁକୁରକୁ  ଭୁସି ଦେଇଥିଲେ । ବାରମ୍ବାର ଛୁରି ଭୁସିବା  ଫଳରେ କୁକୁରଟି ଛଟପଟ ହୋଇଥିଲା ।  ଛୁରାଘାତରେ ପ୍ରବଳ ରକ୍ତସ୍ରାବ ଦେଖି ମହିଳା  ଜଣ ଘରୁ କବାଟ ଖୋଲି ବାହାରକୁ ଦୌଡ଼ି  ଆସିଥିଲେ । ବାହାରୁ କବାଟ କିଳି ବାପଘର  ଲୋକଙ୍କୁ ଖବର ଦେଇଥିଲେ । ବାପଘର  ଲୋକେ ପହଞ୍ଚିବା ପରେ କବାଟ ଖୋଲି  ଥିଲେ । କୁକୁର ମରି ପଡ଼ିଥିବା ଦେଖିଥିଲେ ।  ସେମାନଙ୍କୁ ଛୁରି ଦେଖାଇ ଭୟଭିତ କରି  ମହିଳାଙ୍କ ସ୍ୱାମୀ ସେଠାରୁ ଖସି ପଳାଇଥିଲା ।  ଏନେଇ ଘଟଣାର ଅନୁସନ୍ଧାନ ଚାଲିଥିବା  କହିଛନ୍ତି ଆଇଆଇସି ପବିତ୍ର ମୋହନ ମହାରଣା ।