ନୂଆଦିଲ୍ଲୀ ୦୨/୦୧: ପୂର୍ବତନ  ଅଧିନାୟକ ମହେନ୍ଦ୍ର ସିଂ ଧୋନି ହଠାତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ପ୍ରଶଂସକଙ୍କୁ ସେତେବେଳେ ଚକିତ  କରି ଦେଇଥିଲେ । ସେ ଏହାପରେ କେବେ ନିଜ ନିଷ୍ପତ୍ତି ସଂପର୍କରେ କାହାକୁ  କିଛି କହି ନାହାନ୍ତି । ସର୍ବଦା ନିରବ  ଏବଂ ଗଣମାଧ୍ୟମ ଠାରୁ ଦୂରେଇ  ରହିଛନ୍ତି । ନିରବତା ଭାଙ୍ଗି ଦୀର୍ଘ ଦିନ  ପରେ ଧୋନି ନିଜ ଅବସର ସଂପର୍କରେ ମୁହଁ ଖୋଲିଛନ୍ତି । ଅବସର ନେଇ  ଅନ୍ତର୍ଜାତୀୟ କ୍ରିକେଟ୍‌କୁ ମିସ୍‌ କରୁ ନାହିଁ  ବୋଲି ସେ କହିଛନ୍ତି । 

ୟୁରୋଗ୍ରୀପ ଟାୟାରସ ୟୁ ଟ୍ୟୁବ  ଚ୍ୟାଲେନରେ ଧୋନି କହିଛନ୍ତି, ‘ଯଦି  ଆପଣ କୌଣସି ନିଷ୍ପତ୍ତି ନେଇ ସାରିଛନ୍ତି ସେ ବିଷୟରେ ପୁଣି ଚିନ୍ତା କରିବାର ଆବଶ୍ୟକତା ନାହିଁ । ମୋ ଦେଶ ପାଇଁ  ଯାହା ବି କରିଛି ସେଥିପାଇଁ ବହୁତ ଖୁସି ରହିଛି । ଖେଳ ଛାଡ଼ିବା ପରେ ସାଙ୍ଗମାନଙ୍କ ସହ ସମୟ ବିତାଇବାକୁ ସମୟ ମିଳିଛି । ମଟରସାଇକେଲ ଚଳାଉଛି । ଯାହା ମୋର ଅତି ପ୍ରିୟ । ଯଦିଓ ମୁଁ ଦୂର ପଥ ଚଳାଇ ଯାଇ ନାହିଁ । ପରିବାରକୁ ସମୟ ବି ଦେଉଛି ।’ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ ଛାଡ଼ିବା ପରେ ଆଇପିଏଲ ଖେଳିବା  ଜାରି ରଖିଛନ୍ତି । 

ସେ ୨୦୨୦ ଅଗଷ୍ଟ  ୧୫ ତାରିଖରେ ସନ୍ନ୍ୟାସ ଘୋଷଣା  କରିଥିଲେ । ବର୍ତ୍ତମାନ ତାଙ୍କୁ ଏବେ ୪୩  ବର୍ଷ ବୟସ । ଚେନ୍ନାଇ ସୁପରକିଙ୍ଗ୍‌ସ  ଧୋନିଙ୍କୁ ଏଥର ୪ କୋଟି ଟଙ୍କାରେ  ଦଳରେ ରଖିଛି ।  ୧୫ ବର୍ଷର ଅନ୍ତର୍ଜାତୀୟ  କ୍ୟାରିୟରରେ ଧୋନି ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌, ୨୦୧୧ରେ ଦିନିକିଆ  ବିଶ୍ୱକପ୍‌ ଏବଂ ୨୦୧୩ରେ ଦଳକୁ ଚାମ୍ପିଅନ୍ସ ଟ୍ରଫି ଜିତାଇଥିଲେ।