ଭୁବନେଶ୍ବର, ୨୪।୭  : ଲାଞ୍ଚ ମାମଲାରେ ଗିରଫ  ଆଇଏଏସ  ଧୀମାନ ଚକମା ଜେଲ୍‌ରୁ ବାହାରିଛନ୍ତି l ଦୀର୍ଘ ୪୦ ଦିନ ଜେଲରେ ରହିବା ପରେ ଗୁରୁବାର ଭବାନୀପାଟଣା ଜେଲରୁ ବାହାରିଛନ୍ତି ଧୀମାନ ଚକମା। ଗତ ୨୪ ତାରିଖରେ ତାଙ୍କୁ ଜାମିନ ମିଳିଥିଲା। ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏଥିସହ ଭିଜିଲାନ୍ସ ତଦନ୍ତରେ ସହଯୋଗ କରିବେ। ସାକ୍ଷୀ ଓ ପ୍ରମାଣକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ ବୋଲି ସର୍ତ୍ତରେ ଉଲ୍ଲେଖ କରାଯାଇଛି। 

ସୂଚନାଯୋଗ୍ୟ ଯେ, ଧର୍ମଗଡ ଉପଜିଲ୍ଲାପାଳ ଥିବା ବେଳେ  ଧୀମାନ ଚକ୍‌ମା ଜୟପାଟଣା ଅଞ୍ଚଳର  ଜନୈକ କ୍ରସର ମାଲିକଙ୍କୁ ଭୟଭୀତ କରାଇ ୨୦ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଧର୍ମଗଡ଼ସ୍ଥିତ ସରକାରୀ ବାସଭବନକୁ   ତାଙ୍କୁ ଡାକି ୧୦ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିଲେ । ବାସଭବନର ଅଫିସ୍‌ ଟେବୁଲ ଡ୍ରୟର ଭିତରେ ଟଙ୍କା ରଖିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ୨୬ଟି ଶହେ ଟଙ୍କିଆ ବଣ୍ଡଲ ଜବତ କରିଥିଲେ । ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ଯାଞ୍ଚ ବେଳେ ଆହୁରି ୪୭ଲକ୍ଷ ଟଙ୍କା ନଗଦ ଜବତ କରିଥିଲେ । ଏହା ପରେ   ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଏହି ଘଟଣା ପରେ ଆଇଏଏସ ଧୀମାନ ଚକମାଙ୍କୁ ରାଜ୍ୟପାଳ ନିଲମ୍ବନ  କରିଥିଲେ। ।