ନୂଆଦିଲ୍ଲୀ,୧୯/୧୦:  ଟେଣ୍ଡର ଦୁର୍ନୀତି ଓ ଟଙ୍କା ହେରଫେର ମାମଲା। ଏନେଇ ଗିରଫ ହେଲେ ପ୍ରଶାସନିକ ସେବା ଅଧିକାରୀ  ଆଇଏଏସ୍‌ ସଞ୍ଜୀବ ହଂସ ଓ ପୂର୍ବତନ ଆର୍‌ଜେଡି ବିଧାୟକ ଗୁଲାବ ଯାଦବ ।  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗରିଫ କରିଛି । ତେବେ ବିହାର ବିଦ୍ୟୁତ୍ ମନ୍ତ୍ରଣାଳୟର ଟେଣ୍ଡର ଦୁର୍ନୀତି ମାମଲାରେ ଇଡି ଭାରତୀୟ ପ୍ରଶାସନିକ ସେବାର ବିହାର କ୍ୟାଡରର ଅଧିକାରୀ ସଞ୍ଜୀବ ହଂସଙ୍କୁ ପାଟନାରୁ ଗିରଫ କରିଛି। ସେହିପରି ମନିଲଣ୍ଡରିଂ ମାମଲାରେ ପୂର୍ବତନ ରାଷ୍ଟ୍ରିୟ ଜନତା ଦଳ ବିଧାୟକ ଗୁଲାବ ଯାଦବଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। 

ତେବେ ୧୯୯୭ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହଂସ ବିହାର ବିଦ୍ୟୁତ ବିଭାଗର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରିସାରିଛନ୍ତି। ଯାଦବ ଜଣେ ପୂର୍ବତନ ଆରଜେଡି ବିଧାୟକ। ସେ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ମଧୁବାନି ଜିଲ୍ଲାର ଝାଞ୍ଜରପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ। ଉଭୟଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରହିଛି । ଇଡିର ସୂଚନା ଅନୁସାରେ, ପଞ୍ଜାବର ମୋହାଲି ଏବଂ କସୌଲିରେ ସଞ୍ଜୀବ ହଂସ କୋଟି କୋଟି ମୂଲ୍ୟର ବେନାମୀ ସମ୍ପତ୍ତି କିଣି ରଖିଛନ୍ତି। କୋଟି କୋଟି ମୂଲ୍ୟର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ନିକଟରେ ବିହାର  ସ୍ପେଶାଲ ଭିଜିଲାନ୍ସ ୟୁନିଟ୍ ସହିତ ଇଡି ମିଶି ତାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ଅନେକ ଡକ୍ୟୁମେଣ୍ଟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୪ ରେ ମାମଲା ରୁଜୁ ହୋଇଥିଲା। ଏସଭିୟୁ ଅଧିକାରୀଙ୍କ ଏକ ଟିମ୍ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ମିଳିଥିବା ସୂଚନା ଯାଞ୍ଚ କରୁଛନ୍ତି। ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ' ଏଫଆଇଆର୍‌ରେ ହଂସ, ଯାଦବ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୧୪ ଜଣଙ୍କ ନାଁରେ ଅଭିଯୋଗ କରାଯାଇଛି।