ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲାଗି ପାକିସ୍ତାନ ଯିବ ନାହିଁ ଭାରତ । ପାକିସ୍ତାନରେ ଭାରତୀୟ ଟିମ୍‌ ଖେଳିବ ନାହିଁ ବୋଲି ଦୀର୍ଘ ଦିନ ଧରି ଦାବି କରିଆସିଥିଲା ବିସିସିଆଇ । ଶେଷରେ ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ହାଇବ୍ରିଡ୍‌ ମେଡଲ୍‌ ପାଇଁ ସହମତି ହୋଇଛି । ଏହା ସହ ହାଇବ୍ରିଡ ମଡେଲ ଦାବିକୁ ମାନି ନେଇଛି ଆଇସିସି । ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ ହାଇବ୍ରିଡ୍‌ ମଡେଲରେ ଖେଳିବ ବୋଲି ଆଇସିସି ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ସେପଟେ ପାକିସ୍ତାନର ଦାବିକୁ ମଧ୍ୟ ସମ୍ମାନ ଦେଇଛି ଆଇସିସି । 

ପିସିବିକୁ ଚାମ୍ପିୟନ୍ସ ଟ୍ରଫିର ସଂପୂର୍ଣ୍ଣ ଆୟୋଜନ ପାଇଁ ଅଧିକାର ମିଳିଥିବା ବେଳେ ୨୦୨୮ ମହିଳା ଟି-୨୦ ବିଶ୍ବକପ୍‌ର  ମଧ୍ୟ ଆୟୋଜକ ରହିବ ପାକିସ୍ତାନ । ଚାମ୍ପିୟନ୍ସ ଟ୍ରଫି ୨୦୨୫ ବ୍ୟତୀତ ମହିଳା ବିଶ୍ବକପ୍‌ ୨୦୨୫ (ଭାରତ), ପୁରୁଷ ଟି-୨୦ ବିଶ୍ବକପ୍‌ (ଭାରତ ଓ ଶ୍ରୀଲଙ୍କା) ଏବଂ ମହିଳା ଟି-୨୦ ବିଶ୍ବକପ୍‌ ୨୦୨୮ (ପାକିସ୍ତାନ) ଲାଗି ମଧ୍ୟ ସମାନ ହାଇବ୍ରିଡ୍‌ ମଡେଲ୍‌ ଜାରି ରହିବ । ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି କେଉଁ ନିରପେକ୍ଷ ଭେନ୍ୟୁରେ ଖେଳିବ ସେନେଇ ଆଇସିସି ଖୁବଶୀଘ୍ର ସୂଚନା ଦେବ । 

ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ବେଳେ ଫାଇନାଲ୍‌ ମ୍ୟାଚ୍‌ ମାର୍ଚ୍ଚ ୯ରେ ଖେଳାଯିବ । ପାକିସ୍ତାନ ଏବଂ ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଳାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରିବେ । ସେପଟେ ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ୨୦୨୧ରେ ପିସିବିକୁ ଅଧିକାର ମିଳିଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ୍‌ ପାକିସ୍ତାନ ଯିବ ନାହିଁ ବୋଲି ଦାବି କରିଥିଲା ବିସିସିଆଇ । ଭାରତୀୟ କ୍ରିକେଟ ବୋର୍ଡର ଏହି ନିଷ୍ପତ୍ତିରେ ଖପ୍ପା ହୋଇଥିବା ପିସିବି ପ୍ରଥମେ ଟୁର୍ଣ୍ଣାମେଣ୍ଟକୁ ବୟକଟ୍‌ କରିବାକୁ ଧମକ ଦେଇଥିଲା । 

ତୁତୁମେଁମେଁ ଭିତରେ ଏକମାତ୍ର ବିକଳ୍ପ ଭାବେ ଆଗକୁ ଆସିଥିଲା ହାଇବ୍ରିଡ୍‌ ମଡେଲ କନସେପ୍ଟ । ଏବେ ଏଥିରେ ବିସିସିଆଇ ଏବଂ ପିସିବି ସହମତି ହୋଇଥିବା ବେଳେ ଆଇସିସିର ଅନୁମତି ମଧ୍ୟ ମିଳିଛି । କିନ୍ତୁ ବିସିସିଆଇ, ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କଲେ ପାକିସ୍ତାନ ଟିମ୍‌ ମଧ୍ୟ ଭାରତ ନଆସି କୌଣସି ନିରପେକ୍ଷ ଭେନ୍ୟୁରେ ଖେଳିବ ।