ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ, ମନ୍ଥର ପିଚ୍‌ରେ ସ୍ପିନ୍‌ ପରୀକ୍ଷା

Published By : Prameya | February 20, 2025 8:42 AM

ଦୁବାଇ,୨୦/୦୨: ଚାମ୍ପିଅନ୍ସ ଟ୍ରଫିରେ ଗୁରୁବାରଠୁ ଭାରତ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍‌ରେ ଦଳ ପଡ଼ୋଶୀ ବାଂଲାଦେଶକୁ ଭେଟିବ । ପୂର୍ବରୁ ୨ ଥର ଚାମ୍ପିଅନ୍‌  ଓ ୨ଥର ରନର୍ସ ଅପ୍‌ ହୋଇ ସାରିଥିବା ଭାରତୀୟ ଦଳ ଏଥର ମଧ୍ୟ ଟାଇଟଲ ଦାବିଦାର ରୂପେ ଗଣା ହେଉଥିଲେ ହେଁ ବିପର୍ଯ୍ୟୟ ଘଟାଇବାର ଯଥେଷ୍ଟ କ୍ଷମତା ରଖିଥିବା ବାଂଲାଦେଶ ଦାବି କରୁଛି ଓ  ଭାରତକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି । ଦର୍ଶକଙ୍କ ପାଇଁ ଏହି ମ୍ୟାଚ୍‌ ଭରପୁର ମନୋରଞ୍ଜନ  ଯୋଗାଇବ । ସମଗ୍ର ବିଶ୍ୱର ନଜର ଭାରତର ଦୁଇ  ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ । ଉଭୟଙ୍କ ପ୍ରଦର୍ଶନ ଭଲ ରହିଲେ  ଭାରତର ଟାଇଟଲ ସ୍ୱପ୍ନ ସଫଳ ହେବ । 

ଆଇସିସି ଟୁର୍ଣ୍ଣାମେଣ୍ଟ ଅର୍ଥ ରୋହିତଙ୍କ ରାଜୁତି । ସେ ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟରେ  ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଗତ ୨୦୨୩ ଦିନିକିଆ  ବିଶ୍ୱକପ୍‌ ଓ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଭଳି  ରୋହିତଙ୍କ ବ୍ୟାଟ୍‌ରୁ ବିସ୍ଫୋରକ ଇନିଂସ  ଦେଖିବାକୁଦର୍ଶକ ଆଶା ରଖିବେ । କେବଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ରୋହିତ ୧୧୨ଟି ଛକା  ମାରିସାରିଛନ୍ତି । ଅନ୍ୟ କୌଣସି ଭାରତୀୟ  ଅଧାରେ ମଧ୍ୟ ପହଞ୍ଚି ନାହାନ୍ତି । ଗତ ଦିନିକିଆ  ବିଶ୍ୱକପ୍‌ରେ ରୋହିତ ୧୨୫.୯୪ ଷ୍ଟ୍ରାଇକ  ରେଟ୍‌ରେ ୫୯୭ ରନ୍‌ ସଂଗ୍ରହ କରିଥିଲେ । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଧ୍ୟ ସେ ୧୫୬.୭୦ ଷ୍ଟ୍ରାଇକ  ରେଟ୍‌ରେ ୨୫୭ ରନ ସଂଗ୍ରହ କରିଥିଲେ ।  

ଭାରତୀୟ କ୍ରିକେଟ୍‌ ପ୍ରେମୀ ବିରାଟ  କୋହଲିଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ  ଅପେକ୍ଷା କରିବା ସ୍ୱାଭାବିକ । କିନ୍ତୁ ଯୁବ ବ୍ୟାଟର ଶୁଭମନ ଗିଲଙ୍କ ଉପରେ ନଜର ରହିବ । ସେ  ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି । ଗତ ଇଂଲଣ୍ଡ  ବିପକ୍ଷ ୩ମ୍ୟାଚ୍‌ ବିଶିଷ୍ଟ ସିରିଜରେ ସେ ୨ଟି  ଅର୍ଦ୍ଧଶତକ ଓ ଗୋଟିଏ ଶତକ ବଳରେ ୨୫୯  ରନ ସଂଗ୍ରହ କରିଥିଲେ । ବାଂଲାଦେଶ ଦୁଇ ଅଭିଜ୍ଞ  ବ୍ୟାଟର ମହମୁଦୁଲ୍ଲା ଓ ମୁସଫିକର ରହିମଙ୍କ  ବ୍ୟାଟିଂ ଉପରେ ଅଧିକ ନିର୍ଭର କରିବ ।  

ବାଂଲାଦେଶ ଦଳରେ ସାକିବ ଅଲ୍‌ ହାସନ  ଓ ଲିଟନ ଦାସ ନାହାନ୍ତି । ତଥାପି ଭାରତକୁ  କଡ଼ା ଟକ୍କର ଦେବାକୁ ଦଳ ପ୍ରସ୍ତୁତ ଥିବା ଅଧିନାୟକ ନଜମୁଲ ହୋସେନ ଶାନ୍ତୋ ପ୍ରକାଶ  କରିଛନ୍ତି । ସାକିବଙ୍କ ଅନୁପସ୍ଥିତି ପ୍ରଭାବ  ପକାଇବା ନିଶ୍ଚିତ । ମାତ୍ର ମେହଦି ହାସାନ  ମିରାଜ ଏହି ସ୍ଥାନ ପୂରଣ କରିପାରିବେ ।  ପୂର୍ବରୁ ମଧ୍ୟ ସେ ଭାରତ ବିପକ୍ଷରେ ଅଲ୍‌ରାଉଣ୍ଡ  ପ୍ରଦର୍ଶନ କରି ନିଜ ଦଳକୁ ଜିତାଇ ସାରିଛନ୍ତି ।  

ଦିନିକିଆ କ୍ରିକେଟରେ ମଧ୍ୟ ଓଭର  ଗୁଡ଼ିକରେ (୧୧ରୁ ୪୦ ତମ ଓଭର) ଶୃଙ୍ଖଳିତ  ବୋଲିଂ କରି ପ୍ରତିପକ୍ଷ ବ୍ୟାଟରଙ୍କୁ ବାନ୍ଧି  ରଖିବା ଓ ନିୟମିତ ବ୍ୟବଧାନରେ ୱିକେଟ୍‌  ହାସଲ କରିବା ବିଜୟର ମୂଳ ମନ୍ତ୍ର । ମଧ୍ୟ  ଓଭରଗୁଡ଼ିକରେ ସଫଳ ହେବା ଭଳି ବୋଲର  ଭାରତ ନିକଟରେ ରହିଛି । କୁଲଦୀପ ଯାଦବ  ଓ ଅକ୍ଷର ପଟେଲ ଏଥିପାଇଁ ବେଶ୍‌ ଉପଯୋଗୀ  ସାବ୍ୟସ୍ତ ହେବେ । ୨୦୧୭ରେ ଦିନିକିଆ ପଦାର୍ପଣ  କରିବା ଦିନଠୁ କୁଲଦୀପ ମଧ୍ୟ ଓଭରଗୁଡ଼ିକରେ  ମୋଟ୍‌ ୧୩୯ଟି ୱିକେଟ୍‌ ନେଇଛନ୍ତି ।  

ଟସ୍‌ ଜିତିଲେ ଫିଲ୍ଡିଂ: ଦୁବାଇ ଅନ୍ତର୍ଜାତୀୟ  ଷ୍ଟାଡ଼ିୟମ୍‌ର ପିଚ୍‌କୁ ନେଇ ପୂର୍ବାନୁମାନ କରିବା  କଷ୍ଟକର । ତଥାପି ପିଚ୍‌ ସାମାନ୍ୟ ମନ୍ଥର ରହିବା ଅନୁମାନ କରାଯାଉଛି । ଏଠାରେ ଖେଳାଯାଇଥିବା  ମୋଟ୍‌ ୫୮ଟି ଦିନିକିଆରୁ ମାତ୍ର ୪ଟି ମ୍ୟାଚ୍‌ରେ  ୩୦୦ରୁ ଊଦ୍ଧ୍ୱର୍ ରନ ସଂଗୃହୀତ ହୋଇଛି । ଗତ  ଆଇଏଲ ଟି-ଟ୍ୱେଣ୍ଟି ସମୟରେ ଏହି ଗ୍ରାଉଣ୍ଡ୍‌ରେ  କିଛି ମ୍ୟାଚ୍‌ ଖେଳାଯାଇଥିଲା । ୨ ସପ୍ତାହ ମଧ୍ୟରେ  ପିଚ୍‌କୁ ଦିନିକିଆ ଉପଯୋଗୀ କରାଯାଇଥିବା  କ୍ୟୁରେଟର ଦାବି କରିଛନ୍ତି । ପାକିସ୍ତାନର ପିଚ୍‌  ତୁଳନାରେ ଦୁବାଇ ପିଚ୍‌ ଅପେକ୍ଷାକୃତ ମନ୍ଥର  ରହିବ । ଫଳରେ ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇ ପାରିବେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି  ନେବା ଆଶା କରାଯାଇପାରେ ।

ପ୍ରଥମ ମ୍ୟାଚ୍‌ରୁ ଚାମ୍ପିୟନ ଟ୍ରଫି ଆୟୋଜନ କରିଥିବା ପାକିସ୍ତାନର ଶୋଚନୀୟ ପରାଜୟ; ଡରାଇଲାଣି ବାଦ୍‌ ପଡ଼ିବା ଭୟ

ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା(ଅଧିନାୟକ),  ଶୁଭମନ ଗିଲ୍‌, ବିରାଟ କୋହଲି, ଶ୍ରେୟାସ  ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା,  ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ  ଯାଦବ, ମହମ୍ମଦ ସାମି, ଅର୍ଶଦୀପ ସିଂହ । 

ବାଂଲାଦେଶ: ତନଜିଦ ହାସାନ,  ସୌମ୍ୟ ସରକାର, ନଜମୁଲ ହୋସେନ  ଶାନ୍ତୋ(ଅଧିନାୟକ), ତୌହିଦ ହୃଦୟ,  ମୁସଫିକର ରହିମ, ମହମୁଦୁଲ୍ଲା, ମେହଦି  ହାସାନ ମିରାଜ, ରିଶଦ ହୋସେନ, ଟସ୍କିନ  ଅହମ୍ମଦ, ନାହିଦ ରାଣା, ମୁସ୍ତାଫିଜୁର ରେହମାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.