ନୂଆଦିଲ୍ଲୀ,୧୨/୧୦ :  ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ସମୟରେ, ICC ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଜେଡନ୍ ସିଲ୍ସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ICC ଆଚରଣ ସଂହିତାର ଲେବଲ୍ ୧ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ତାଙ୍କ ମ୍ୟାଚ୍ ଫିର ୨୫ପ୍ରତିଶତ ଜରିମାନା ଲଗାଯାଇଛି । ଏହାସହ ତାଙ୍କୁ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି। ଗତ ୨୪ମାସ ମଧ୍ୟରେ ଏହା ତାଙ୍କର ଦ୍ୱିତୀୟ ଡିମେରିଟ୍ ପଏଣ୍ଟ ଅଟେ।

ଜେଡ଼ନ୍ ସିଲ୍ସଙ୍କୁ ଏହି ଦଣ୍ଡ ଦିଲ୍ଲୀ ଟେଷ୍ଟର ପ୍ରଥମ ଦିନରେ ଘଟିଥିବା ଏକ ଘଟଣା ପାଇଁ ମିଳିଛି। ଏହି ଘଟଣା ଅକ୍ଟୋବର ୧୦ ତାରିଖ ତଥା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଘଟିଥିଲା। ଭାରତୀୟ ଇନିଂସର ୨୯ତମ ଓଭର ସମୟରେ, ସିଲ୍ସ ଯଶସ୍ୱୀ ଜୟସୱାଲଙ୍କ ଆଡ଼କୁ ଏକ ଫଲୋ-ଥ୍ରୁରେ ବଲ୍ ଫୋପାଡ଼ିଥିଲେ, ଯାହା ଫଳରେ ବଲ୍ ଜୟସୱାଲଙ୍କ ପ୍ୟାଡରେ ବାଜିଥିଲା।

କାରିବିଆନ୍ ଦ୍ରୁତ ବୋଲର ଯୁକ୍ତି ଦେଇଥିଲେ ଯେ ସେ ରନ ଆଉଟ୍ କରିବା ଉଦ୍ଦେଶ୍ୟରେ ଜୟସୱାଲଙ୍କ ଆଡ଼କୁ ବଲ ଫିଙ୍ଗିଥିଲେ। ଭିଡିଓ ରିପ୍ଲେ ସମୀକ୍ଷା କରିବା ପରେ ମ୍ୟାଚ୍ ରେଫରୀ ଏଣ୍ଡି ପାୟକ୍ରାଫ୍ଟ ସିଲ୍ସଙ୍କ ଥ୍ରୋ ଅନ୍ୟାୟ ବୋଲି ରାୟ ଦେଇଥିଲେ।