ଦୁବାଇ,୦୭/୦୪: ଆଇସିସି ପକ୍ଷରୁ ଗତ ମାର୍ଚ୍ଚ ମାସର ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ପାଇଁ ୩ଜଣିଆ ତାଲିକା ଘୋଷଣା କରାଯାଇଛି । ଏଥିରେ ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମରା ଓ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କ ସମେତ ଦକ୍ଷିଣ ଆଫ୍ରିକା ବ୍ୟାଟର କନ୍ନର ଇଷ୍ଟରହୁଇଜେନ ସ୍ଥାନ ପାଇଛନ୍ତି । ବୁମରା ଓ ସାମସନ ମାର୍ଚ୍ଚ ମାସରେ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ୩ଟି ମ୍ୟାଚ୍ ଖେଳିଥିଲେ ଏବଂ ଭାରତକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଅଧିକ ପଢ଼ନ୍ତୁ :- FIFA World Cup 2026: ବିଶ୍ୱକପ୍ ଖେଳିବେ ସର୍ବାଧିକ ୪୮ଟି ଟିମ୍, ୧୨ ଗ୍ରୁପ୍‌ରେ ଖେଳାଯିବ ମ୍ୟାଚ୍

ସାମସନ୍ ସୁପର-୮ ରାଉଣ୍ଡରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ‘କର ବା ମର’ ମ୍ୟାଚ୍ରେ ଅପରାଜିତ ୯୭ ରନ୍, ଇଂଲଣ୍ଡ ବିପକ୍ଷ ସେମିରେ ୮୯ରନ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ରେ ୮୯ରନ୍ କରିଥିଲେ । ସେ ୧୩୭.୫୦ ଆଭରେଜରେ ମୋଟ ୨୭୫ରନ୍ ସଂଗ୍ରହ କରିବା ସହ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ । ବୁମରା ଉକ୍ତ ୩ଟି ମ୍ୟାଚ୍ରେ ୭ଟି ୱିକେଟ୍ ଅକ୍ତିଆର ଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍ରେ ସେ ୧୫ରନ୍ ପ୍ରଦାନ କରି ୪ଟି ୱିକେଟ୍ ନେବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ସେହିପରି କନ୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ୫ଟି ମ୍ୟାଚ୍ ଖେଳି ୨୦୦ରନ୍ କରିଥିଲେ ଏବଂ ଦଳକୁ ୩-୨ରେ ସିରିଜ ବିଜୟୀ କରାଇଥିଲେ।