ଦୁବାଇ,୦୫/୧୨: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା  ତାଲିକାରେ ଭାରତୀୟ ଖେଳାଳିଙ୍କ  ଅବନତି ହୋଇଛି । ଗତ ସପ୍ତାହରେ  ଭାରତୀୟ ଦଳର କୌଣସି ମ୍ୟାଚ୍‌  ନଥିବାରୁ ଏଭଳି ଅବନତି ଦେଖିବାକୁ  ମିଳିଛି । ପୂର୍ବ ସପ୍ତାହରେ ବ୍ୟାଟିଂ ମାନ୍ୟତା  ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବା  ଯଶସ୍ୱୀ ଜୈସ୍ୱାଲ୍‌ ଚତୁର୍ଥକୁ ଖସିଛନ୍ତି ।  ତାଙ୍କ ସ୍ଥାନ ମାଡ଼ି ବସିଛନ୍ତି ଇଂଲଣ୍ଡର  ହ୍ୟାରୀ ବ୍ରୁକ୍‌ । ସେ ନ୍ୟୁଜିଲାଣ୍ଡ ବିପକ୍ଷ  ପ୍ରଥମ ଟେଷ୍ଟରେ ୧୭୧ ରନ୍‌ର ଇନିଂସ  ଖେଳିଥିଲେ । ଏହି ଶତକ ତାଙ୍କୁ ମାନ୍ୟତା  ତାଲିକାର ଦ୍ୱିତୀୟ ସ୍ଥାନରେ ପହଞ୍ଚାଇ  ଦେଇଥିଲା । 

ଅନ୍ୟ ଇଂଲଣ୍ଡ ବ୍ୟାଟର ଜୋ  ରୁଟ୍‌ ଉକ୍ତ ଟେଷ୍ଟରେ ଯଥାକ୍ରମେ ୦ ଓ ୨୩  ରନ୍‌ ସଂଗ୍ରହ କରିଥିଲେ । ତଥାପି ତାଙ୍କ  ମାନ୍ୟତା ପ୍ରଭାବିତ ହୋଇ ନଥିଲା । ସେ  ପୂର୍ବବତ ଶୀର୍ଷ ସ୍ଥାନ ବଜାୟ ରଖିବାରେ  ସଫଳ ହୋଇଥିଲେ । ବର୍ତ୍ତମାନ ରୁଟ୍‌ ଓ  ବ୍ରୁକ୍‌ଙ୍କ ମଧ୍ୟରେ ୪୧ ପଏଣ୍ଟର ବ୍ୟବଧାନ  ରହିଛି । ରୁଟ୍‌ ୮୯୫ ଓ ବ୍ରୁକ୍‌ ୮୫୪  ପଏଣ୍ଟ ଅର୍ଜନ କରିଛନ୍ତି । ନ୍ୟୁଜିଲାଣ୍ଡର  କେନ ୱିଲିୟମସନ ତୃତୀୟ ସ୍ଥାନ ବଜାୟ  ରଖିଛନ୍ତି । ସେ ପ୍ରଥମ ଟେଷ୍ଟର ଉଭୟ  ଇନିଂସରେ ଯଥାକ୍ରମେ ୯୩ ଓ ୬୧ ରନ୍‌ର  ଇନିଂସ ଖେଳିଥିଲେ ।  

ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା  ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ  ଦକ୍ଷିଣ ଆଫ୍ରିକାର ତେମ୍ବା ବଭୁମା ଉଭୟ  ଇନିଂସରେ ଯଥାକ୍ରମେ ୭୦ ଓ ୧୧୪  ରନ୍‌ର ଇନିଂସ ଖେଳିଥିଲେ । ଏହି  ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ  ୧୪ଟି ସ୍ଥାନ ଉନ୍ନତି ହୋଇଛି । ସେ  ବର୍ତ୍ତମାନ ଦଶମ ସ୍ଥାନରେ ରହିଛନ୍ତି ।  

ପର୍ଥ ଟେଷ୍ଟରେ ଶତକ ସତ୍ତେ୍ୱ ବିରାଟ  କୋହଲିଙ୍କ ମାନ୍ୟତାରେ ଗୋଟିଏ ସ୍ଥାନ  ଅବନତି ହୋଇଛି ଓ ସେ ୧୪ତମ ସ୍ଥାନରେ  ପହଞ୍ଚିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ  ଶୁଭମନ ଗିଲ୍‌ ୧୮ ଓ ରୋହିତ ଶର୍ମା  ୨୬ ତମ ସ୍ଥାନରେ ରହିଛନ୍ତି । ଜୈସ୍ୱାଲଙ୍କ  ବ୍ୟତୀତ ଅନ୍ୟ ଭାରତୀୟ ଭାବେ ରିଷଭ  ପନ୍ତ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ବଜାୟ  ରଖିଛନ୍ତି । ସେ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି ।  

ବୋଲିଂ ବିଭାଗରେ ଭାରତୀୟଙ୍କ  ଆଧିପତ୍ୟ ବଜାୟ ରହିଛି । ଯଶପ୍ରୀତ  ବୁମରା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ  ରବଚନ୍ଦ୍ରନ ଅଶ୍ୱିନ ଚତୁର୍ଥ ଓ ରବିନ୍ଦ୍ର  ଜାଡେଜା ଷଷ୍ଠ ସ୍ଥାନରେ ରହିଛନ୍ତି ।