ଦୁବାଇ,୨୪/୧୦: ସଦ୍ୟ ପ୍ରକାଶିତ ଆଇସିସି  ଟେଷ୍ଟ ମାନ୍ୟତାରେ ଭାରତୀୟଙ୍କ ଉନ୍ନତି ହୋଇଛି । ବ୍ୟାଟିଂ  ବର୍ଗରେ ରିଷଭ ପନ୍ତ ଷଷ୍ଠକୁ ଉନ୍ନୀତ ହୋଇଛନ୍ତି ।  ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ  ସେ ୯୯ ରନ୍‌ର ଇନିଂସ ଖେଳିଥିଲେ । ଏହି ପ୍ରଦର୍ଶନ ବଳରେ ତାଙ୍କ ମାନ୍ୟତାରେ ୩ଟି ସ୍ଥାନ ଉନ୍ନତି ହୋଇଥିଲା ।  ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ  ଯଶସ୍ୱୀ ଜୈସ୍ୱାଲ୍‌ ଓ ବିରାଟ କୋହଲି ରହିଛନ୍ତି । ଜୈସ୍ୱାଲ୍‌  ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି । କୋହଲିଙ୍କ ମାନ୍ୟତାରେ  ଗୋଟିଏ ସ୍ଥାନ ଅବନତି ହୋଇଛି ଓ ସେ ଅଷ୍ଟମ ସ୍ଥାନରେ  ପହଞ୍ଚିଛନ୍ତି । ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି  ୭୦ ରନ୍‌ର ଏକ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।  

ପ୍ରଥମ ଟେଷ୍ଟରେ ଅର୍ଦ୍ଧଶତକ ସତ୍ତେ୍ୱ ରୋହିତ ଶର୍ମାଙ୍କ  ମାନ୍ୟତାରେ ୨ଟି ସ୍ଥାନ ଅବନତି ହୋଇଛି । ସେ ବର୍ତ୍ତମାନ  ୧୬ତମ ସ୍ଥାନକୁ ଖସିଛନ୍ତି । ସେହପରି ପ୍ରଥମ ଟେଷ୍ଟ  ଖେଳିନଥିବା ଶୁଭମନ ଗିଲ୍‌ ୪ଟି ସ୍ଥାନ ତଳକୁ ଖସି  ୨୦ତମ ସ୍ଥାନରେ ପହଞ୍ଚିଛନ୍ତି । ବୋଲିଂ ମାନ୍ୟତାରେ  ତାଲିକାରେ ଯଶପ୍ରୀତ ବୁମରା ଓ ରବି ଅଶ୍ୱିନ ପ୍ରଥମ  ୨ଟି ଯାକ ସ୍ଥାନ ବଜାୟ ରଖିଥିବାବେଳେ ରବିନ୍ଦ୍ର ଜାଡେଜା  ସପ୍ତମ ସ୍ଥାନରେ ରହିଛନ୍ତି।