ଗୌହାଟୀ,୧୦/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ୧୧ତମ ଲିଗ୍‌  ମୁକାବିଲାରେ ଶୁକ୍ରବାର ନ୍ୟୁଜିଲାଣ୍ଡ  ଓ ବାଂଲାଦେଶ ପରସ୍ପରକୁ ଭେଟିବେ ।  ପ୍ରଥମ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ନ୍ୟୁଜିଲାଣ୍ଡ ବିଜୟ ଖାତା ଖୋଲିବାକୁ  ତତ୍ପର ରହିଥିବାବେଳେ ବାଂଲାଦେଶ  ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ  ଅଷ୍ଟ୍ରେଲିଆ ଓ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ  ଆଫ୍ରିକାଠାରୁ ପରାଜିତ ହୋଇଥିଲା । ଟପ  ଅର୍ଡର ବ୍ୟାଟିଂ ବିଫଳତା ପରାଜୟର ପ୍ରମୁଖ କାରଣ ରହିଥିଲା । କେବଳ ଅଧିନାୟିକା ଶୋଫି ଡିଭାଇନଙ୍କୁ  ଛାଡ଼ିଦେଲେ ଅନ୍ୟ କେହି ଉପଯୋଗୀ  ବ୍ୟାଟିଂ କରିନାହାନ୍ତି । ତେଣୁ ବାଂଲାଦେଶକୁ  ହରାଇବାକୁ ହେଲେ ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ ।

ବାଂଲାଦେଶ ଇତି ମଧ୍ୟରେ ୨ଟି ମ୍ୟାଚ  ଖେଳିଛି । ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନକୁ  ହରାଇଥିଲା । ଏହାପରେ ଇଂଲଣ୍ଡଠୁ  ପରାଜିତ ହୋଇଥିଲେ ହେଁ ଦଳ କଡ଼ା  ମୁକାବିଲା କରିଥିଲା । ଦଳ ନିକଟରେ ଏକ ଦକ୍ଷ ସ୍ପିନ ବାହିନୀ ରହିଛି ଓ ଏହି ସ୍ପିନରମାନେ  ପିଚ୍‌ର ଭରପୁର ଫାଇଦା ଉଠାଉଛନ୍ତି ।

ବର୍ଷାପଡ଼ା ଗ୍ରାଉଣ୍ଡର ପିଚ୍‌ ସ୍ପିନରଙ୍କୁ ଭରପୁର ସହାୟତା କରୁଛି । ଏଠାରେ  ଖେଳାଯାଇଥିବା ୩ଟି ମ୍ୟାଚ୍‌ରେ ମୋଟ୍‌  ୪୪ଟି ୱିକେଟ୍‌ର ପତନ ଘଟିଛି । ଏଥିରୁ  ସ୍ପିନରମାନେ ୩୩ଟି ୱିକେଟ୍‌ ନେଇଛନ୍ତି ।  ତେଣୁ ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ  କରିବା ନିଶ୍ଚିତ । ରାତ୍ରିରେ କାକର  ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ  ସହଜ ହେବ । ଫଳରେ ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ବାଂଲାଦେଶ: ରୁବ୍ୟା ହାଇଦର, ଶର୍ମିନ  ଅଖତର, ନିଗାର ସୁଲତାନା (ଅଧିନାୟିକା),  ଶୋଭନା ମୋସ୍ତାରି, ରିତୁ ମୋନି, ସୋର୍ନା  ଅଖତର, ଫହିମା ଖାତୁନ, ନାହିଦା  ଅଖତର, ରବେୟା ଖାନ, ମାରୁଫା ଅଖତର, ସଞ୍ଜିଦା ଅଖତର ମେଘଲା ।’

ନ୍ୟୁଜିଲାଣ୍ଡ: ସୁଜି ବେଟ୍ସ, ଜର୍ଜିୟା ପ୍ଲିମର, ଆମେଲିଆ  କେର, ଶୋଫି ଡିଭାଇନ (ଅଧିନାୟିକା),  ବ୍ରୁକ ହାଲିଡେ, ମାଡି ଗ୍ରୀନ, ଇସାବେଲା  ଗେଜ, ଜେସ କେର/ରୋଜମେରୀ ମାଇର,  ଲି ତାହୁହୁ, ଏଡେନ କାର୍ସନ, ବ୍ରି ଇଲିଂ ।