ନଭି ମୁମ୍ବାଇ,୨୦/୧୦: ମହିଳା  ଦିନିକିଆ ବିଶ୍ୱକପ୍‌ର ୨୧ତମ ଲିଗ୍‌  ମୁକାବିଲାରେ ଆଜି ଶ୍ରୀଲଙ୍କା ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳର ସେମି ଫାଇନାଲ୍‌ ଆଶା ମଉଳି  ସାରିଛି । ତଥାପି ଅନ୍ୟ ମ୍ୟାଚ୍‌ ଫଳାଫଳ  ଉପରେ ଉଭୟ ଦଳର ଭାଗ୍ୟ ନିର୍ଭର କରୁଛି । ଫଳରେ ଦୁଇ ଦଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବେ ।

ବାଂଲାଦେଶ ୫ଟି ମ୍ୟାଚ୍‌ ଖେଳି  ଗୋଟିଏ ବିଜୟ ଓ ୪ଟି ପରାଜୟ ସହ  ମୋଟ ୨ପଏଣ୍ଟ ପାଇ ତାଲିକାରେ ଷଷ୍ଠ  ସ୍ଥାନରେ ରହିଛି । ସେହିପରି ଶ୍ରୀଲଙ୍କା  ୫ଟି ମ୍ୟାଚ୍‌ରୁ ସମାନ ୨ପଏଣ୍ଟ ସହ  ସପ୍ତମ ସ୍ଥାନରେ ରହିଛି । ବର୍ଷା ବାଧାପ୍ରାପ୍ତ ୨ଟି ମ୍ୟାଚ୍‌ରୁ ଦଳ ୨ପଏଣ୍ଟ ପାଇଛି ।

ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ  ପାକିସ୍ତାନକୁ ହରାଇ ଅଭିଯାନ ଆରମ୍ଭ କରିଥିଲା । ମାତ୍ର ପରବର୍ତ୍ତୀ ୪ଟି ମ୍ୟାଚ୍‌ ପରାଜିତ ହୋଇଛି । ଦଳ ସବୁ ମ୍ୟାଚ୍‌ରେ  ଲଢ଼ୁଆ ପ୍ରଦର୍ଶନ କରୁଥିଲେ ମଧ୍ୟ ମ୍ୟାଚ୍‌ ବିଜେତାଙ୍କ ଅନୁପସ୍ଥିତି ଅନୁଭବ କରୁଛି ।  ଶ୍ରୀଲଙ୍କାକୁ ହରାଇବାକୁ ହେଲେ ଦଳକୁ ବଡ଼ ସ୍କୋର କରିବାକୁ ପଡ଼ିବ । ପେସ୍‌ ବୋଲର ମାରୁଫା ଅକତର  ଏକାଦଶକୁ ଫେରବା ସମ୍ଭାବନା ରହିଛି ।

ବର୍ଷା ଯୋଗୁ ଶ୍ରୀଲଙ୍କାର ୨ଟି ମ୍ୟାଚ୍‌  ଧୋଇଯାଇଛି । ଫଳରେ ଦଳର ସେମି ଆଶା ମଉଳିଯାଇଛି । ଦଳରେ ଏକାଧିକ  ତାରକା ଖେଳାଳି ରହିଥିଲେ ମଧ୍ୟ ସେମାନେ  ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ  ବିଫଳ ହୋଇଛନ୍ତି । ଆଜି ଶ୍ରୀଲଙ୍କା ଅଧିନାୟିକା ଚାମରି  ଆଟ୍ଟାପଟୁ, ମଧ୍ୟକ୍ରମ ବ୍ୟାଟର  ନୀଳକ୍ଷିକା ସିଲ୍‌ଭା ଏବଂ ସ୍ପିନର ଇନୋକା ରାଣାବୀରାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଚଳିତ ବିଶ୍ୱକପ୍‌ରେ ଡିୱାଇ ପାଟିଲ  ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳାଯିବ ।  ପୂର୍ବରୁ ଏହି ଗ୍ରାଉଣ୍ଡରେ ୧୪ଟି ବିଜୟ  ହଜାରେ ଟ୍ରଫି ମ୍ୟାଚ୍‌ ଖେଳାଯାଇଥିଲା ।  ପ୍ରଥମ ଇନିଂସ୍‌ ଆଭରେଜ ସ୍କୋର ୨୫୨  ରହିଛି । ଦ୍ୱିତୀୟ ଇନିଂସ୍‌ରେ ବ୍ୟାଟିଂ  କରିଥିବା ଦଳ ୯ଟି ମ୍ୟାଚ୍‌ ଜିତିଛନ୍ତି ।  ତେଣୁ ଆଜି ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

ସମ୍ଭାବ୍ୟ ଦଳ

ବାଂଲାଦେଶ: ରୁବ୍ୟା ହାଇଦର, ଫରଗାନା  ହକ୍‌, ଶର୍ମିନ ଅଖତର, ନିଗାର ସୁଲତାନା  (ଅଧିନାୟିକା), ଶୋଭାନା ମୋସ୍ତାରି,  ଶୋର୍ଣ୍ଣା ଅକତର, ଫହିମା  ଖାତୁନ, ରାବେୟା ଖାନ, ରିତୁ  ମୋନି, ନିଶିତା ଅକତର  ନିଶି, ମାରୁଫା ଅକତର ।

ଶ୍ରୀଲଙ୍କା: ଚାମରି ଆଟ୍ଟାପଟୁ  (ଅଧିନାୟିକା), ହାସିନି  ପେରେରା, ଭୀଷ୍ମି ଗୁଣରତ୍ନେ, ହର୍ଷିତା  ସମରବିକ୍ରମା, କବିଶା ଦିଲହାରୀ,  ନୀଳକ୍ଷିକା ସିଲ୍‌ଭା, ଅନୁଷ୍କା ସଞ୍ଜିବନୀ,  ପିଉମି ବତ୍ସଲା, ସୁଗନ୍ଦିକା କୁମାରୀ,  ମଲକି ମହାରା, ଇନୋକା ରାଣାବୀରା