ବିଶାଖାପଟ୍ଟନମ,୧୬/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର ୧୭ତମ ଲିଗ ମ୍ୟାଚରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ପରସ୍ପରକୁ  ଭେଟିବେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ୭ ପଏଣ୍ଟ ସହ ଶୀର୍ଷ  ସ୍ଥାନରେ ରହିଛି । ବାଂଲାଦେଶ ୪ଟି ମ୍ୟାଚ ଖେଳି ଅର୍ଜନ କରିଛି ୨ ପଏଣ୍ଟ । ସେମି ଫାଇନାଲ୍‌ରେ ପହଞ୍ଚିବାକୁ ହେଲେ ବାଂଲାଦେଶକୁ ଶେଷ ୩ଟି  ଯାକ ଲିଗ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜିର ମ୍ୟାଚ୍ ଏକ ସଂଘର୍ଷପୂର୍ଣ୍ଣ  ମୁକାବିଲା ଦେଖିବାକୁ ମିଳିବ ।

ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ପଲା ଭାରି ରହିଥିଲେ ହେଁ ବାଂଲାଦେଶ କଡ଼ା ଟକ୍କର ଦେବା ନିଶ୍ଚିତ । ପୂର୍ବରୁ ଦଳ ପାକିସ୍ତାନକୁ ପରାସ୍ତ କରିଥିବାବେଳେ  ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷରେ  ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲା । କେବଳ ଅଭିଜ୍ଞତାର  ଅଭାବ ଯୋଗୁଁ ଦଳ ଉଭୟ ମ୍ୟାଚ୍‌ରେ  ପରାଜିତ ହୋଇଥିଲା । ବାଂଲାଦେଶର ବୋଲିଂ ବିଭାଗ ବେଶ୍‌ ଶୃଙ୍ଖଳିତ । ଭାରତୀୟ ପିଚ୍‌ ସ୍ପିନରଙ୍କୁ ଭରପୁର  ସହାୟତା କରୁଛି । ବାଂଲାଦେଶ  ନିକକ୍ଷରେ ଏକ ଦକ୍ଷ ସ୍ପିନ ବୋଲିଂ ବାହିନୀ ରହିଛି । କେବଳ ବ୍ୟାଟିଂରେ ଉନ୍ନତି ଆଣି ପାରିଲେ  ଦଳ ବିଜୟ ହାସଲ କରିପାରିବ ।

ଆଜି ଅଷ୍ଟ୍ରେଲିଆ ଦଳର ମଧ୍ୟ ଆଧିପତ୍ୟ ଜାରି ରଖିବାକୁ  ପ୍ରୟାସ କରିବ । ଅଧିନାୟିକା ଆଲିସା  ହିଲି ଫର୍ମକୁ ଫେରିଥିବାରୁ ଦଳ ବେଶ୍‌  ଆସ୍ୱସ୍ତ । ସେ ଭାରତ ବିପକ୍ଷରେ ଶତକ  ଅର୍ଜନ କରିଥିଲେ । ଭେଟେରାନ  ଏଲିସ ପେରୀ ମଧ୍ୟ ଫର୍ମକୁ  ଫେରିଛନ୍ତି । ତେଣୁ ଅଷ୍ଟ୍ରେଲିଆର  ବିଜୟ ସମ୍ଭାବନା ଅଧିକ ।