କଲମ୍ବୋ,୨୪/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପ୍‌ର  ୨୫ତମ ଲିଗ ମ୍ୟାଚରେ ଶୁକ୍ରବାର ପାକିସ୍ତାନ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଟୁର୍ଣ୍ଣାମେଣ୍ଟର ସେମି  ଫାଇନାଲ୍‌ ଲାଇନଅପ୍‌ ଚୂଡ଼ାନ୍ତ ହୋଇ  ସାରିଥିବାରୁ ଏହି ମ୍ୟାଚ କୌଣସି  ଗୁରୁତ୍ୱ ରଖୁନାହିଁ । ତଥାପି ଉଭୟ ଦଳ ବିଜୟ ସହ ସମ୍ମାନ  ବଞ୍ଚାଇବା ପାଇଁ ପ୍ରୟାସ କରିବେ । ପୂର୍ବ ମ୍ୟାଚ୍‌ଗୁଡ଼ିକ ଭଳି ବର୍ଷା ପୁନର୍ବାର ଖଳନାୟକ ସାଜିବାର ଆଶଙ୍କା ରହିଛି ।

ପାକିସ୍ତାନ ଏପର୍ଯ୍ୟନ୍ତ କୌଣସି  ମ୍ୟାଚ ଜିତି ନାହିଁ । ୨ଟି ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବାରୁ ଦଳ ୨ ପଏଣ୍ଟ ଅର୍ଜନ କରିଛି । ଶ୍ରୀଲଙ୍କା ମଧ୍ୟ ବାତିଲ  ମ୍ୟାଚରୁ ୨ପଏଣ୍ଟ ଅର୍ଜନ କରିଛି । ଅନ୍ୟ ଏକ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ  ପରାସ୍ତ କରି ମୋଟ୍‌ ୪ ପଏଣ୍ଟ ଅର୍ଜନ  କରିଛି । ଉଭୟ ଦଳ ନିଜ ନିଜର ଶେଷ ମ୍ୟାଚ୍‌ ଖେଳି ବିଦାୟ ନେବେ ।

ମ୍ୟାଚ୍‌ର ଫଳାଫଳ ଗୁରୁତ୍ୱ ରଖୁ  ନଥିଲେ ହେଁ ଆସନ୍ତାକାଲି କିଛି ବ୍ୟକ୍ତିଗତ  ପ୍ରଦର୍ଶନ ଉପରେ ନଜର ରହିବ ।  ଶ୍ରୀଲଙ୍କା ସ୍ପିନର ଇନୋକା ରଣାବୀରା ଓ  ଅଧିନାୟିକା ଚାମରି ଆଟ୍ଟାପଟୁଙ୍କ ଖେଳ  ଦେଖିବାକୁ ଦର୍ଶକ ଭିଡ଼ ଜମାଇବେ ।  ଆଟ୍ଟାପଟୁ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ୍‌  ସମେତ କ୍ରମାନ୍ୱୟରେ ୪ଟି ୱିକେଟ୍‌  ନେଇ ଦଳକୁ ବିଜୟୀ କରାଇଥିଲେ ।  ପାକିସ୍ତାନ ପକ୍ଷରୁ ବ୍ୟାଟର ସିଦ୍ରା ଅମିନ,  ଅଧିନାୟିକା ଫାତିମା ସାନା ଓ ସ୍ପିନର ନସ୍ରା  ସାନ୍ଧୁ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।

ପ୍ରେମଦାସା ଷ୍ଟାଡ଼ିୟମ ପିଚ ସ୍ପିନରଙ୍କୁ  ସହାୟତା କରୁଛି । ହେଲେ ଆସନ୍ତାକାଲି  ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ୫୦ ଓଭର  ଖେଳ ହେବା କଷ୍ଟକର । ଟସ ବିଜୟୀ  ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି ।

ସମ୍ଭାବ୍ୟ ଦଳ

ପାକିସ୍ତାନ: ସଦାଫ ସମାସ, ମୁନିବା  ଅଲି, ସିଦ୍ରା ଅମିନ, ସିଦ୍ରା ନୱାଜ,  ନାତାଲିଆ ପରଭେଜ, ଏମାନ ଫାତିମା,  ଫାତିମା ସାନା (ଅଧିନାୟିକା), ରମିଣ  ଶମିମି, ଡାଏନା ବେଗ, ନସ୍ରା ସାନ୍ଧୁ,  ସାଦିଆ ଇକବାଲ ।

ଶ୍ରୀଲଙ୍କା: ହାସିନି ପେରେରା, ଚାମରି  ଆଟ୍ଟାପଟୁ (ଅଧିନାୟିକା), ହର୍ଷିତା  ସମରବିକ୍ରମା, ଭିଷ୍ମୀ ଗୁଣରତ୍ନେ, କବିଶା  ଦିଲହାରୀ, ନୀଳକ୍ଷିକା ସିଲଭା, ଅନୁଷ୍କା  ସଞ୍ଜିବନୀ, ଦେଓମି ବିହଙ୍ଗା, ସୁଗନ୍ଧିକା  କୁମାରୀ, ଉଦେଶିକା ପ୍ରବୋଧିନୀ,  ଇନୋକା ରଣାବୀରା ।