ସାରଜା,୦୪/୧୦: ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌ ଏ’ରେ ଶୁକ୍ରବାର ଭାରତ-  ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ଭାରତୀୟ  ସମୟ ସନ୍ଧ୍ୟା ୭.୩୦ ମିନିଟ୍‌ରେ ଖେଳ ଆରମ୍ଭ ହେବ । ଉଭୟ  ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରି ସମ୍ପ୍ରତି ଚମତ୍କାର ଫର୍ମରେ ରହିଥିବା ପ୍ରମାଣ କରିଛି । ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ  ୱେଷ୍ଟ ଇଣ୍ଡିଜ୍‌କୁ ୨୦ ରନ୍‌ରେ ଓ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ  ଆଫ୍ରିକାକୁ ୨୮ ରନ୍‌ରେ ହରାଇଥିଲା ହର୍ମନପ୍ରୀତଙ୍କ ଦଳ । 

ନ୍ୟୁଜିଲାଣ୍ଡ ଖେଳିଥିବା ୨ଟି ଅଭ୍ୟାସ ମ୍ୟାଚ୍‌ରୁ ଗୋଟିଏରେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରମାନ୍ୱୟରେ ୧୦ଟି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ପରାଜୟର ସାମ୍ନା  କରିଥିଲା । ବିଶ୍ୱକପ୍‌ ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିଥିବା ନ୍ୟୁଜିଲାଣ୍ଡ ଦଳ ଶୁକ୍ରବାର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି ।  

ଭାରତୀୟ ଦଳ ବେଶ୍‌ ସନ୍ତୁଳିତ ରହିଛି । ପ୍ରତ୍ୟେକ ଖେଳାଳି ଫିଟ୍‌ ଥିବାରୁ ଦଳର ପଲା ଭାରି ରହିବା ଆଶା କରାଯାଉଛି । ତଥାପି ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ସୋଫି ଡିଭାଇନ୍‌ ଓ ସୁଜି ବେଟ୍ସଙ୍କୁ ସହଳ ଆଉଟ୍‌ କରିବା ଜରୁରି । ଶୁକ୍ରବାର ଟିମ ଇଣ୍ଡିଆ ଓପନର ଶେଫାଳି ବର୍ମା ଓ ନ୍ୟୁଜିଲାଣ୍ଡ ଅଲ୍‌ରାଉଣ୍ଡର  ଆମେଲିଆ କେରଙ୍କ ଉପରେ ନଜର ରହିବ । 

ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ଥିଲେ ହେଁ ରାତ୍ରିରେ ପ୍ରଚୁର କାକର ପଡ଼ିବାର ସମ୍ଭାବନା ରହିଛି । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତ ନେବା ଏକ ପ୍ରକାର ନିଶ୍ଚିତ ।  

ଭାରତ: ସ୍ମୃତି ମନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ,  ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା  ଘୋଷ, ଦୀପ୍ତି ଶର୍ମା, ଶ୍ରେୟଙ୍କା ପାଟିଲ, ପୂଜା ବସ୍ତ୍ରାକର, ରେଣୁକା  ସିଂହ, ଅରୁନ୍ଧତୀ ରେଡ୍ଡୀ, ଡି ହେମଲତା, ଆଶା ଶୋଭନା, ରାଧା  ଯାଦବ, ଏସ ସଜନା। 

ନ୍ୟୁଜିଲାଣ୍ଡ: ସୋଫି ଡିଭାଇନ (ଅଧିନାୟିକା), ସୁଜି  ବେଟ୍ସ, ଇଡେନ କାର୍ସନ, ଇସାବେଲା ଗେଜ, ମାଡି ଗ୍ରୀନ୍‌,  ବ୍ରୁକ ହାଲିଡେ, ଫ୍ରାନ ଜୋନାସ, ଲି କାସ୍ପରେକ, ଜେସ କେର,  ଆମେଲିଆ କେର, ରୋଜମେରୀ ମାଇର, ମୋଲି ପେନଫୋଲ୍ଡ,  ଜର୍ଜିୟା ପ୍ଲିମର, ହାନ୍ନା ରେୱେ, ଲି ତାହୁହୁ ।