ଲଣ୍ଡନ, ୧୧/୬ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ତୃତୀୟ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ । ଆଜିଠୁ ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହେବ ଫାଇନାଲ ମୁକାବିଲା । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ଟେଷ୍ଟ ଗଦା ବଜାୟ ରଖିବାକୁ ପ୍ରୟାସ କରିବ। ପ୍ରଥମ କରି ଫାଇନାଲ୍‌ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ଆଗାମୀ ୫ଦିନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିବ । ଘରୋଇ ଗ୍ରାଉଣ୍ଡ୍‌ରେ ଅଧିକାଂଶ ମ୍ୟାଚ୍‌ ଖେଳି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକା ଅସଲ ପରୀକ୍ଷାର ସମ୍ମୁଖୀନ ହେବ । କେବଳ ତେମ୍ବା ବଭୁମା ଓ ଆଡେନ ମାରକ୍ରମଙ୍କୁ ଛାଡ଼ିଦେଲେ ଦକ୍ଷିଣ ଆଫ୍ରିକାର ଅନ୍ୟ କୌଣସି ବ୍ୟାଟର ଟେଷ୍ଟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବୋଲିଂ ବାହିନୀର ସାମ୍ନା କରି ନାହାନ୍ତି । ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ୍‌ ଓ ନାଥାନ ଲାୟନ୍‌ଙ୍କୁ ନେଇ ଗଠିତ ବୋଲିଂ ବିଭାଗ ସମଗ୍ର ବିଶ୍ୱରେ ଶ୍ରେଷ୍ଠ । ଏକତ୍ର ଖେଳିବା ଦିନଠୁ ପ୍ରତ୍ୟେକ ବୋଲର ୨୫୦ରୁ ଊର୍ଦ୍ଧ୍ୱ ୱିକେଟ୍‌ ଅକ୍ତିଆର କରିଛନ୍ତି । 

ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପ୍ରଥମ କରି ୧୯୧୨ରେ ଏକ ଟେଷ୍ଟ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ୧୦ ୱିକେଟ୍‌ରେ ଉକ୍ତ ମ୍ୟାଚ ଜିତିଥିଲା । ୧୧୩ ବର୍ଷ ପରେ ଉଭୟ ଦଳ ପୁଣି ଥରେ ଏହି ଗ୍ରାଉଣ୍ଡ୍‌ରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଲର୍ଡ୍ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ମୋଟ୍‌ ୪୦ଟି ଟେଷ୍ଟ ଖେଳିଛି । ଏଥିରୁ ଦଳ ୧୮ଟି ମ୍ୟାଚ୍‌ ଜିତିଥିବାବେଳେ ୧୫ଟି ମ୍ୟାଚ୍‌ ଡ୍ର’ ରଖିଛି ଓ ୭ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡ୍‌ରେ ୧୮ଟି ଟେଷ୍ଟ ଖେଳିଛି । ଏଥିରୁ ୬ଟି ଟେଷ୍ଟ ଜିତିଥିବାବେଳେ ୮ଟିରେ ପରାଜିତ ହୋଇଛି । ବାକି ୪ଟି ଟେଷ୍ଟ ଡ୍ର’ ରହିଛି । ଉଭୟ ଦଳ ଏକାଦଶ ଘୋଷଣା କରିସାରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚ୍‌ରେ ମାର୍ନସ ଲାବୁସାନ ଓପନ କରିବା ନିଶ୍ଚିତ ହୋଇଛି । ସେ ପ୍ରଥମ କରି କୌଣସି ଟେଷ୍ଟରେ ଓପନ କରିବାକୁ ଯାଉଛନ୍ତି । କାମେରନ ଗ୍ରୀନ୍‌ ୩ନଂ ସ୍ଥାନରେ ବ୍ୟାଟିଂ କରିବେ । ଗ୍ରୀନଙ୍କୁ ବୋଲିଂରୁ ବିରତ ରଖାଯାଇଥିବାରୁ ଅଲ୍‌ରାଉଣ୍ଡର ଭାବେ ବ୍ୟୁ ୱେବଷ୍ଟର କିଛି ଓଭର ପକାଇବେ। 

ଦକ୍ଷିଣ ଆଫ୍ରିକା ଦଳରେ ଅନେକ ଯୁବ ଖେଳାଳି ରହିଥିବାରୁ ଅଷ୍ଟ୍ରେଲିଆ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ସହ ଓହ୍ଲାଇବାକୁ ପଡ଼ିବ। ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ୱିଆନ ମୋଲ୍ଡର ପୂର୍ବ ଭଳି ୩ନଂ ସ୍ଥାନରେ ବ୍ୟାଟିଂ କରିବା ନିଶ୍ଚିତ। ଅନ୍ୟ ଅଲରାଉଣ୍ଡର ଭାବେ ମାର୍କୋ ଜାନସେନ ଦଳରେ ରହିଛନ୍ତି । ଅଷ୍ଟ୍ରେଲିଆ ଦଳ ତୁଳନାରେ ଦକ୍ଷିଣ ଆଫ୍ରିକା ଦଳ ଅଧିକ ସନ୍ତୁଳିତ ମନେ ହେଉଛି । ଜୁନ୍‌ ପ୍ରଥମ ଭାଗରେ ଲର୍ଡ୍ସ ପିଚ୍‌ ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖାଇବା ଅନୁମାନ କରାଯାଉଛି । ପିଚ୍‌ ଶୁଷ୍କ ରହିବ ଓ ସ୍ପିନରମାନେ ଏହାର ଫାଇଦା ଉଠାଇବେ । ଉଭୟ ଦଳ ଜୁନ୍‌ ପ୍ରଥମ ଭାଗରେ ପୂର୍ବରୁ କେବେ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳି ନାହାନ୍ତି । ତେଣୁ ଲର୍ଡ୍ସରେ ଖେଳିବାର ଅଭିଜ୍ଞତା କାମ ଦେବନି ।

ଚୂଡ଼ାନ୍ତ ଏକାଦଶ

ଅଷ୍ଟ୍ରେଲିଆ: ଉସମାନ ଖୱାଜା, ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍‌, ଟ୍ରେଭିସ୍‌ ହେଡ୍‌, ବ୍ୟୁ ୱେବଷ୍ଟର, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥାନ ଲାୟନ, ଜୋସ ହାଜେଲଉଡ୍‌ । 

ଦକ୍ଷିଣ ଆଫ୍ରିକା: ଆଡେନ ମାରକ୍ରମ, ର‌୍ୟାନ ରିକେଲଟନ, ୱିଆନ ମୋଲ୍ଡର, ତେମ୍ବା ବଭୁମା (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଡେଭିଡ୍‌ ବେଡିଂହାମ, କେଲି ଭେରେନି, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି ।