ନୂଆଦିଲ୍ଲୀ, ୧୦/୦୬ : ଗତ ଗୋଟିଏ ବର୍ଷ ମଧ୍ୟରେ ବିଶ୍ୱ ଅଧିକ ବିପଦପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶ୍ୱ ଶାନ୍ତି ସୂଚକାଙ୍କ (ଜିପିଆଇ) ଦ୍ୱାରା ମଙ୍ଗଳବାର ଜାରି ରିପୋର୍ଟ ଅନୁସାରେ, ୯୯ ଦେଶରେ ଶାନ୍ତିର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି । ଶାନ୍ତି ସୂଚକାଙ୍କ ୨୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ସେବେଠୁ ଗତ ୧ ବର୍ଷରେ ରେକର୍ଡ ହୋଇଥିବା ଏହା ସର୍ବାଧିକ ହ୍ରାସ । ଲଗାତାର ୧୯ତମ ବର୍ଷ ଆଇସ୍ଲାଣ୍ଡ ବିଶ୍ୱର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶର ଟାଇଟଲ ହାସଲ କରିଛି । ଏହା ପରେ ନ୍ୟୁଜିଲାଣ୍ଡ, ସ୍ୱିଜରଲାଣ୍ଡ, ସ୍ଲୋଭେନିଆ ଓ ଆୟରଲାଣ୍ଡ ଅଛି ।
ରିପୋର୍ଟ ଅନୁସାରେ, ଦକ୍ଷିଣ ଏସିଆରେ ଶାନ୍ତିର ସ୍ଥିତି ସବୁଠୁ ଦ୍ରୁତ ବିଗିଡ଼ିଛି । ନେପାଳ ୨୬ ସ୍ଥାନ ତଳକୁ ଖସିଛି, ଯାହା ଏ ବର୍ଷ କୌଣସି ଦେଶର ସର୍ବାଧିକ ହ୍ରାସ । ଭାରତ ଗତ ବର୍ଷର ୧୧୫ତମ ସ୍ଥାନ ବଜାୟ ରଖିଛି । ପାକିସ୍ତାନ ୧୫୨ତମ ସ୍ଥାନରେ ଅଛି । ଆମେରିକା ଇତିହାସର ସବୁଠୁ ଖରାପ ସ୍ଥିତି- ୧୩୪ତମ ସ୍ଥାନରେ ପହଞ୍ଚିଛି । ଏହାର ପ୍ରମୁଖ କାରଣ ରାଜନୈତିକ ଅସ୍ଥିରତା ଓ ହିଂସାତ୍ମକ ପ୍ରଦର୍ଶନରେ ବୃଦ୍ଧି ବୋଲି କୁହାଯାଉଛି । ଇନ୍ଷ୍ଟିଚ୍ୟୁଟ୍ ଫର ଇକୋନୋମିକ୍ସ ଆଣ୍ଡ ପିସ୍ (ଆଇଇପି) ର ରିପୋର୍ଟ ଅନୁସାରେ, ତାଲିକାରେ ସାମିଲ ୧୧୯ ଦେଶ (ପ୍ରାୟ ୭୩%) ୨୦୦୭ ତୁଳନାରେ ଏବେ କମ୍ ଶାନ୍ତିପୂର୍ଣ୍ଣ । ଅନ୍ୟପକ୍ଷେ, ଦେଶମାନଙ୍କରେ ରାଜ୍ୟ-ଭିତ୍ତିକ ସଂଘର୍ଷ ସଂଖ୍ୟା ବଢ଼ି ୬୧ ହୋଇଛି, ଯାହା ୨ୟ ବିଶ୍ୱଯୁଦ୍ଧ ପରେ ସବୁଠୁ ଅଧିକ । ଆଇଇପିର ସଂସ୍ଥାପକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଷ୍ଟିଭ୍ କିଲିଲିୟା କହିଛନ୍ତି, ଦକ୍ଷିଣ ଏସିଆଠୁ ଇରାନ, ସମଗ୍ର ମଧ୍ୟ-ପୂର୍ବ ଓ ପୂର୍ବ ଆଫ୍ରିକାର ତମାମ କ୍ଷେତ୍ର ଯାଏ ଅସ୍ଥିରତା ଲମ୍ବିଛି । ବୈଶ୍ୱିକ ସୁରକ୍ଷା ପାଇଁ ଏହା ସବୁଠୁ ବଡ଼ ଆହ୍ୱାନ।
ରିପୋର୍ଟ ଅନୁସାରେ, ୨୦୨୫ରେ ହିଂସାର ବୈଶ୍ୱିକ ଆର୍ଥିକ ପ୍ରଭାବ ୩.୨% ବଢ଼ି ୨୧.୮୧ ଟ୍ରିଲିଅନ ଡଲାର ପହଞ୍ଚିଛି। ଏହା ବିଶ୍ୱର ମୋଟ୍ ଜିଡିପିର ୧୦.୫% । ସର୍ବାଧିକ ସଂଘର୍ଷ ପ୍ରଭାବିତ ୧୦ ଦେଶରେ ହିଂସାର ଆର୍ଥିକ ମୂଲ୍ୟ ହାରାହାରି ଜିଡିପିର ୨୩.୪%, ଯାହା ବିଶ୍ୱର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶଙ୍କ ତୁଳନାରେ ୧୦ ଗୁଣଠୁ ବି ଅଧିକ । ଷ୍ଟିଭ୍ କିଲିଲିୟା କହିଛନ୍ତି, ବିଶ୍ୱ ଏବେ ‘ଗ୍ରେଟ୍ ଫ୍ରାଗମେଣ୍ଟେସନ୍’ ଅବଧି ମଧ୍ୟଦେଇ ଗତି କରୁଛି। ଭୂ-ରାଜନୈତିକ ଓ ପ୍ରଯୁକ୍ତିଗତ ପରିବର୍ତ୍ତନ ଏତେ ଦ୍ରୁତ ହେଉଛି ଯେ ଶାନ୍ତି ବଜାୟ ରଖୁଥିବା ସଂସ୍ଥା ଓ ସରକାର ଏହା ସହ ତାଳ ଦେଇ ପାରୁନାହାନ୍ତି । ରିପୋର୍ଟରେ ଉଲ୍ଲେଖ ହୋଇଛି, ଆଧୁନିକ ଯୁଦ୍ଧରେ ଏଆଇ ଓ ଡ୍ରୋନ୍ ଟେକ୍ନୋଲୋଜି ବଡ଼ ପରିବର୍ତ୍ତନ ଆଣିଛି । ୨୦୧୮ରୁ ୨୦୨୫ ମଧ୍ୟରେ ଡ୍ରୋନ୍ ଆକ୍ରମଣରେ ୧୧,୫୦୦%ରୁ ଅଧିକ ବୃଦ୍ଧି ରେକର୍ଡ ହୋଇଛି । ଏବେ କେବଳ ଦେଶ ନୁହନ୍ତି, ବରଂ ୫୬୫ ସଶସ୍ତ୍ର ସଂଗଠନ ମଧ୍ୟ ଡ୍ରୋନ୍ର ଉପଯୋଗ କରୁଛନ୍ତି । ଏଆଇ ଯୋଗୁ ଲକ୍ଷ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା ମାତ୍ର କିଛି ସେକେଣ୍ଡରେ ପୂରା ହେଉଛି, ଯାହା ପୂର୍ବରୁ ଗୋଟିଏ ଦିନ ଲାଗୁଥିଲା ।
କିଲିଲିୟା କହିଛନ୍ତି, ଏଆଇ ଓ ଡ୍ରୋନ୍ ଟେକ୍ନୋଲୋଜି ଜୀବନ ଓ ମୃତ୍ୟୁର ନିଷ୍ପତ୍ତି ନେଉଛି ଏବଂ ଏଥିରେ ମଣିଷର ଦଖଲ ବହୁତ କମିଛି । ସାଧାରଣ ଲୋକଙ୍କ ମୃତ୍ୟୁ ଘଟଣା ବଢ଼ିଛି । ରିପୋର୍ଟ ଅନୁସାରେ, ୨୦୦୮ରେ ୫୯ ଦେଶ ବାହ୍ୟ ସଂଘର୍ଷରେ ଜଡ଼ିତ ଥିଲେ । ଅନ୍ୟପକ୍ଷେ, ୨୦୨୬ରେ ଏହି ସଂଖ୍ୟା ବଢ଼ି ୧୦୩ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଯୁଦ୍ଧ ଏବେ ପୂର୍ବାପେକ୍ଷା ଅନେକ ଗୁଣ ଅଧିକ ଅନ୍ତର୍ଜାତୀୟ ସ୍ତରୀୟ ହୋଇଛି । ଏଥିସହ ୨୦୨୫ରେ ବୈଶ୍ୱିକ ସୈନ୍ୟ ଖର୍ଚ୍ଚ ରେକର୍ଡ ୨.୯ ଟ୍ରିଲିଅନ ଡଲାର ପହଞ୍ଚିଛି।
ଆହୁରି ପଢନ୍ତୁ- Fortune India : କୋହଲି ଭାରତର ସବୁଠୁ ମହଙ୍ଗା ସେଲିବ୍ରିଟି, ବ୍ରାଣ୍ଡ ଭାଲ୍ୟୁ ୩୫୪୨ କୋଟି, ଦ୍ଵିତୀୟରେ ଶାହରୁଖ
ହତ୍ୟାର ୨୬ ଦିନ ପରେ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ,କେନ୍ଦୁଝର ଜିଲ୍ଲା ଭଦ୍ରାସାହି ପଞ୍ଚାୟତରେ ଘଟିଛି ଜଘନ୍ୟ କାଣ୍ଡ, ଦେଖନ୍ତୁ ଭିଡିଓ..