• ରୋଗୀଙ୍କୁ ମିଳିବ ଆହୁରି ଉନ୍ନତ ମାନର ଚିକିତ୍ସା
  • ଆଇସିୟୁ ବେଡ୍ ସଂଖ୍ୟା ୧୬ ରୁ ହେବ ୪୦

ଭୁବନେଶ୍ବର, ୨୭।୧ : କ୍ୟାପିଟାଲ ହସ୍ପିଟାଲର ଦୂର ହେବ ସମସ୍ୟା। ରୋଗୀଙ୍କୁ ମିଳିବ ଆହୁରି ଉନ୍ନତ ମାନର ଚିକିତ୍ସା ସେବା । କ୍ୟାପିଟାଲ ହସ୍ପିଟାଲରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା । ୧୬ ରୁ ବେଡ୍ ସଂଖ୍ୟା ୪୦ ହେବ। ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କ୍ୟାପିଟାଲ ହସ୍ପିଟାଲର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଡାକ୍ତରଖାନାର ସ୍ବାସ୍ଥ୍ୟସେବାର ଉନ୍ନତିକରଣ ସକାଶେ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟରଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ମଙ୍ଗଳବାର ବସିଥିବା ଆରକେଏସ ବୈଠକରେ କ୍ୟାପିଟାଲ ହସ୍ପିଟାଲରେ ଲାଗି ରହିଥିବା ଦୀର୍ଘ ଦିନର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ଭୁବନେଶ୍ବର ସାଂସଦ । କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ବର ତଥା ଉପକଣ୍ଠ ଅଂଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଆସୁଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ଆଇସିୟୁ ବେଡ୍ ସଂଖ୍ୟାକୁ ୧୬ରୁ ୪୦ କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଇସିୟୁ ବେଡ୍ ସଂଖ୍ୟା କିପରି ଯଥାଶୀଘ୍ର ବୃଦ୍ଧି ହୋଇପାରିବ ସେ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ସ୍ବାସ୍ଥ୍ୟ ସଚିବଙ୍କ ସହିତ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆରକେଏସ ବୈଠକରୁ ଫୋନ୍ ଯୋଗେ ଆଲୋଚନା କରିଥିଲେ ।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ପାଇଁ ଡାକ୍ତରୀ ଛାତ୍ର ଅଧ୍ୟୟନ କରୁଛନ୍ତି । ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆବଶ୍ୟକ ଫାକଲଟି ନିଯୁକ୍ତି ସକାଶେ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ଆରକେଏସ ବୈଠକରେ ହସ୍ପିଟାଲରେ ଦୀର୍ଘ ବର୍ଷରୁ ଠିକାରେ କାମ କରୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ବର୍ଷରୁ ପ୍ରାୟ ୧୫୦ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେସରକାରୀ ଭାବେ କାମ କରି ଆସୁଛନ୍ତି । ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଚାକିରୀ ସ୍ଥାୟୀ କରିବା ନେଇ ବୈଠକରେ ଆଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭୁବନେଶ୍ବର ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ଆରକେଏସ ବୈଠକରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହିତ କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟର, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ,ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାଶ, ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ସଦସ୍ୟ ବିମଳ କୁମାର ରାଉଳ, ପୂର୍ତ୍ତ ବିଭାଗ, ଓ୍ବାଟକୋ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୟାପିଟାଲ ହସ୍ପିଟାଲରେ କିପରି ରୋଗୀଙ୍କୁ ଆହୁରି ଭଲ ଭାବରେ ସ୍ବାସ୍ଥ୍ୟସେବା ମିଳିପାରିବ ସେ ନେଇ ଆରକେଏସ ବୈଠକରେ ଗୁରୁତ୍ବ ପ୍ରଦାନ କରିଥିଲେ ଭୁବନେଶ୍ବର ସାଂସଦ ।

ଆହୁରି ପଢନ୍ତୁ :ଶିଳ୍ପର ବିକାଶରେ ପ୍ରତ୍ୟେକ ଗ୍ରାମ ଓ ପରିବାରର ବିକାଶ ହୁଏ : ମୁଖ୍ୟମନ୍ତ୍ରୀ