ନୂଆଦିଲ୍ଲୀ: ଦକ୍ଷିଣ ଲେବାନନ୍ ଏବଂ ଗାଜାରେ ଇସ୍ରାଏଲ୍ ସେନା ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଦକ୍ଷିଣ ଲେବାନନରେ IDF ଆକ୍ରମଣରେ ହିଜବୁଲ୍ଲାର ୨ ଶହରୁ ଅଧିକ ଠିକଣା ଧ୍ବଂସ ହୋଇଯାଇଛି । ଗାଜାରେ ବହୁ ସଂଖ୍ୟକ ହମାସ୍ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ତେବେ ସେମାନଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ଉପରେ ଇସ୍ରାଏଲ୍ ସୈନ୍ୟବାହିନୀ କହିଛି ଯେ, ଉତ୍ତର ବାୟୁସେନା କମାଣ୍ଡର ସହଯୋଗରେ ସେମାନେ ଲେବାନନର ଦକ୍ଷିଣ ତଥା ଆଭ୍ୟନ୍ତରୀଣ ଅଞ୍ଚଳରେ ହିଜବୁଲ୍ଲାର ପ୍ରାୟ ୨ ଶହ ଆତଙ୍କବାଦୀ ଠିକଣା ଉପରେ ଆକ୍ରମଣ କରିଛି । ଏହି ସମୟ ମଧ୍ୟରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି ।

ରବିବାର ମଧ୍ୟ ଦକ୍ଷିଣ ଲେବାନନର ଅନେକ ଅଞ୍ଚଳରେ ଇସ୍ରାଏଲ୍ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଏହା ସହିତ ଇସ୍ରାଏଲ ସୈନିକ ମାନେ ମଧ୍ୟ ରାମ୍ୟା ଗ୍ରାମକୁ କବଜା କରିବାକୁ ଉଦ୍ୟମ କରି ହିଜବୁଲ୍ଲା ଯୋଦ୍ଧା ମାନଙ୍କ ସହିତ ଏକ ଯୁଦ୍ଧ କରୁଛନ୍ତି । ଗାଜା ଡିଭିଜନର ଇସ୍ରାଏଲ୍ ସୈନ୍ୟବାହିନୀ ମଧ୍ୟ ଗାଜା ଅଞ୍ଚଳରେ ଅନେକ ସଶସ୍ତ୍ର ଆତଙ୍କବାଦୀଙ୍କୁ ହଟାଇ ଦେଇଛନ୍ତି । ବାୟୁସେନାର ଏକ ବିମାନ ଆତଙ୍କବାଦୀଙ୍କ ଏକ ଟିମ୍‌କୁ ଚିହ୍ନଟ କରି ଧ୍ବଂସ କରିଦେଇଛନ୍ତି । ଏହି ଆତଙ୍କବାଦୀ ମାନେ ଇସ୍ରାଏଲ୍ ସେନା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ହତ୍ୟା କରାଯାଇଥିଲା ।