ନୂଆଦିଲ୍ଲୀ,୧୨/୦୯: ଫୋନ୍‌କୁ ଋଣରେ କିଣି ପରେ ପରିଶୋଧ  କରୁ ନ ଥିବା ଋଣଗ୍ରହିତାଙ୍କ ପାଇଁ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ୍‌ । ୠଣରେ ନିଆଯାଇଥିବା ଉକ୍ତ ଫୋନ୍‌କୁ ଏବେ ଦୂରରୁ ଲକ୍‌ କରିପାରିବେ ବ୍ୟାଙ୍କ । ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଏହି ଅନୁମତି ଦିଆଯିବାକୁ ବିଚାର ହେଉଛି । ବିଶେଷ କରି ଏନ୍‌ପିଏକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ଏକ ଯୋଜନା ଉପରେ କାର୍ଯ୍ୟ  ଚାଲିଥିବା ଜଣାପଡ଼ିଛି ।

ହୋମ୍‌ କ୍ରେଡିଟ୍‌ ଫାଇନାନ୍ସ ପକ୍ଷରୁ ୨୦୨୪ରେ  କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତରେ ଫୋନ୍‌ ସମେତ  ଏକ ତୃତୀୟାଂଶରୁ ଊର୍ଦ୍ଧ୍ବ ଖାଉଟି ଇଲେକ୍ଟ୍ରୋନିକ୍ସ ଛୋଟ ଛୋଟ ଋଣ ମାଧ୍ୟମରେ କିଣାଯାଇଥାଏ । ୧୪୦ କୋଟିରୁ ଊଦ୍ଧ୍ୱର୍ ଜନସଂଖ୍ୟାବିଶିଷ୍ଟ  ଦେଶରେ ୧୧୬ କୋଟିରୁ ଊର୍ଦ୍ଧ୍ବ ମୋବାଇଲ କନେକ୍ସନ ରହିଛି ।  ଅର୍ଥାତ୍‌ ଦେଶରେ ମୋବାଇଲ ପେନିଟ୍ରେସନ୍‌ ବଢ଼ିଚାଲିଛି। ଲୋକେ  ଛୋଟ ଟିକଟ ଋଣ ନେଇ ମୋବାଇଲ କିଣୁଛନ୍ତି । କିନ୍ତୁ ପରେ ଋଣ  ଖିଲାପୀ କରୁଛନ୍ତି । ଏଭଳି କ୍ଷେତ୍ରରେ ଉକ୍ତ ଫୋନ୍‌ଗୁଡ଼ିକୁ ଦୂରରୁ  ଲକ୍‌ କରିବାକୁ ଆର୍‌ବିଆଇ ବ୍ୟାଙ୍କଗୁଡ଼ିକୁ ଅନୁମତି ଦେବାକୁ ଚିନ୍ତା  କରୁଛି । ଋଣ ନେବା ସମୟରେ ଫୋନ୍‌ରେ ଏକ ଆପ୍‌ ଇନ୍‌ଷ୍ଟଲ୍‌  ହୋଇଥାଏ । ଏହା ଡିଭାଇସ୍‌କୁ ଲକ୍‌ କରିବା ପାଇଁ ଉଦ୍ଦିଷ୍ଟ । ଉକ୍ତ  ଆପ୍‌ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଦୂରରୁ ଋଣରେ ନିଆଯାଇଥିବା ସେହି  ମୋବାଇଲ ଫୋନ୍‌କୁ ଲକ୍‌ କରିପାରିବେ ।

ତେବେ ନିୟମ ଅନ୍ତର୍ଗତ  ଫୋନ୍‌କୁ ଲକ୍‌ କରିବା ପୂର୍ବରୁ ଋଣଗ୍ରହିତାଙ୍କୁ ଏହା ଉପରେ ପ୍ରାକ୍‌ ସୂଚନା ଦିଆଯିବ । ଗ୍ରାହକଙ୍କ ଡାଟା ଯେପରି ସୁରକ୍ଷିତ ରହିବ ତାହା  ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । ଏହା କରି ଆର୍‌ବିଆଇ ଋଣ ଅସୁଲ  ପାଇଁ ବ୍ୟାଙ୍କଗୁଡ଼ିକୁ ଅଧିକ କ୍ଷମତା ଦେବା ସହିତ ଋଣଗ୍ରହିତାଙ୍କ  ମୋବାଇଲ ଡାଟାକୁ ବି ସୁରକ୍ଷିତ ରଖିବାକୁ ଚାହେଁ।