ଘରେ କିଛି ଖାଇବାକୁ ନଥିଲେ ଛତୁଆ ସମସ୍ତଙ୍କର ଭୋକ ମେଣ୍ଟାଇଥାଏ । ତେଣୁ ପ୍ରାୟ ସମସ୍ତଙ୍କ ଘରେ ଛତୁଆ ନିଶ୍ଚୟ ରହିଥାଏ । ଆଉ ଗରମ ଦିନ ଆସିଲେ ପ୍ରାୟ ଲୋକ ଏହାକୁ ଡାଏଟ୍‌ରେ ସାମିଲ୍‌ କରିଥାନ୍ତି । ଅଧିକ ଖରା ଓ ଭୀଷଣ ଗରମରୁ ରକ୍ଷା ପାଇବା ଓ ଶରୀରକୁ ଥଣ୍ଡା ରଖିବା ପାଇଁ ଏଭଳି ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିଥାନ୍ତି । 

ଛତୁଆ ଏଭଳି ଖାଦ୍ୟ ମଧ୍ୟରୁ ଅନ୍ୟତମ, ଯାହା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ । ଗରମରେ ଛତୁଆ ଖାଇବା ଖୁବ୍‌ ଭଲ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି ବହୁ ଗୁଣରେ ଭରା ଛତୁଆ ଶରୀରର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଆବଶ୍ୟକତାଠାରୁ ଅଧିକ ଛତୁଆ ଖାଇବା ଦ୍ୱାରା ଏହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ପାଚନତନ୍ତ୍ରକୁ ସୁସ୍ଥ ରଖୁଥିବା ଛତୁଆ ଅନେକ ସମୟରେ ଗ୍ୟାସ୍‌ର କାରଣ ହୋଇଥାଏ । ଏହାବ୍ୟତୀତ ଅନ୍ୟ କେତେକ ସମସ୍ୟା ରହିଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । କ’ଣ କ’ଣ କ୍ଷତି ହୋଇପାରେ ଚାଲନ୍ତୁ ଦେଖିବା... 

  • ପଥୁରୀ: ଯଦି ଆପଣଙ୍କର କୌଣସି ପଥର ସମସ୍ୟା ରହିଥାଏ, ତେବେ ଛତୁଆ ଖାଇବା ଅନୁଚିତ୍‌ । ପଥୁରୀ ସମସ୍ୟା ଥିଲେ ଛତୁଆ ଖାଇବା ହାନିକାରକ । କାରଣ ଏହା ପଥୁରୀ ସମସ୍ୟାକୁ ବହୁ ମାତ୍ରାରେ ବଢାଇ ଦେଇଥାଏ । ତେଣୁ ଛତୁଆଠାରୁ ଦୂରେଇ ରହିବା ଭଲ । 
  • ଥଣ୍ଡା ରହୁଥିଲେ: ଯଦି ଆପଣଙ୍କ ଭିତରେ ସବୁବେଳେ ଥଣ୍ଡା ରହୁଥାଏ । ତେବେ ଛତୁଆଠାରୁ ଯଥାସମ୍ଭବ ଦୂରେଇ ରହିବା ଉଚିତ୍‌ । ହାଡ଼ରେ ଯନ୍ତ୍ରଣା ବା ବାତ ସମସ୍ୟା ରହିଥିଲେ ଛତୁଆ ଶରୀର ପାଇଁ କ୍ଷତିକାରକ । କାରଣ ଏହି ଖାଦ୍ୟ ଥଣ୍ଡାଜାତୀୟ ହୋଇଥାଏ । 
  • ଗ୍ୟାସ୍‌: ଅଧିକ ଛତୁଆ ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷ ଧ୍ୟାନ ଦେବା ଦରକାର ଯେପରି ଖରାଦିନେ ସୁସ୍ଥ ରହିବା ପ୍ରୟାସରେ ଆବଶ୍ୟକଠାରୁ ଅଧିକ ଛତୁଆ ନ ଖାଇବେ । ପରିଣାମ ଗମ୍ଭୀର ହୋଇପାରେ । 
  • ବାତ ଦୋଷ: ଏହା ଥଣ୍ଡାଜାତୀୟ ଖାଦ୍ୟ ହୋଇଥିବାରୁ ବାତ ଦୋଷ ଥିବା ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏହା ବାତ ସମସ୍ୟାକୁ ବହୁଗୁଣରେ ବଢାଇ ଦେଇଥାଏ । 
  • ଆଲର୍ଜି: କିଛି ଲୋକଙ୍କୁ ବୁଟ ବା ଚଣା ହଜମ କରିବା କଷ୍ଟ ହୋଇଥାଏ । ଆଉ କିଛି ଲୋକଙ୍କଠାରେ ଚଣା ବା ବୁଟକୁ ନେଇ ଆଲର୍ଜି ରହିଥାଏ । ସେମାନେ ଏହାକୁ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ । ତେଣୁ ଏହାଠାରୁ ଦୂରେଇ ରହିବା ଭଲ । ସେହିପରି ସୁସ୍ଥ ଥିବା ବ୍ୟକ୍ତି ମଧ୍ୟ ଆବଶ୍ୟକଠାରୁ ଅଧିକ ଛତୁଆ ଖାଇବା ଅନୁଚିତ୍‌ ।